ଭୁବନେଶ୍ୱର,୨୭।୨(ବ୍ୟୁରୋ):କଳିଙ୍ଗ ସାହିତ୍ୟ ମହୋତ୍ସବ ରବିବରେ ଶେଷ ହୋଇଛି। ସ୍ଥାନୀୟ ଏକ ହୋଟେଲରେ ୩ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ପ୍ରାୟ ୭୦ରୁ ଅଧିକ ଅଧିବେଶନ ଓ ବିଭିନ୍ନ ବିଭାଗରେ ପ୍ରାୟ ୨୦ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ ଯୋଗଦେଇ କହିଛନ୍ତି, ଆସନ୍ତା ୨୦୨୫ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଭାରତର ଦକ୍ଷିଣ-ପୂର୍ବ ଏସିଆ ସହିତ ଥିବା ପ୍ରାଚୀନ ସାମୁଦ୍ରିକ ଇତିହାସକୁ ଦୋହରାଇବା ପାଇଁ ପୁରୁଣା ଜାହାଜ ଜ୍ଞାନକୌଶଳରେ ଏକ ଜାହାଜର ନିର୍ମାଣ ଶେଷ ହେବ। ଏଥିସହ ଏକ ସାମୁଦ୍ରିକ ଯାତ୍ରା ଆରମ୍ଭ ହେବ। ଭାରତୀୟ ନୌସେନା ତାଙ୍କୁ ପ୍ରାଚୀନ ସିଲେଇ ଜ୍ଞାନକୌଶଳରେ ଜାହାଜ ନିର୍ମାଣରେ ସାହାଯ୍ୟ କରିବାକୁ ଯାଉଛି। ଆଉ ୨୦୨୫ କାର୍ତ୍ତିକ ପୂର୍ଣ୍ଣିମାବେଳକୁ ଓଡ଼ିଶାରେ ବାଲିଯାତ୍ରା କରି ଇତିହାସକୁ ଦୋହରାଇ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଜାହାଜର ଲମ୍ବ ପ୍ରାୟ ୨୦ ମିଟର ହେବ। ଏଥିରେ କୌଣସି ଜିପିଏସ ରହିବ ନାହିଁ। ପ୍ରାଚୀନ କାଳରେ ନିର୍ମିତ ଜାହାଜ ଭଳି ହେବ। ଯେତେବେଳେ ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଭାରତର ଦକ୍ଷିଣ ପୂର୍ବ ଏସିଆ ସହିତ ଘନିଷ୍ଠ ସମ୍ପର୍କ ଥିଲା ।
ଖୁବ ଶୀଘ୍ର ଗୁଜରାଟର ଉପକୂଳରୁ ଓମାନ ଅଭିମୁଖେ ଯାତ୍ରା କରିବାକୁ ଆଉ ଏକ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ବିଶିଷ୍ଟ ବଂଶୀ ଗୁରୁ ହରି ପ୍ରସାଦ ଚୌରାସିଆ, ଚିପ କୋ ଆନ୍ଦୋଳନ ନେତା ଶେଖର ପାଠକ, ପୁରାଣ ବିଜ୍ଞାନୀ ଅଶ୍ୱିନ ସାଙ୍ଗୀ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ।