Categories: ବାଣିଜ୍ୟ

୨୦୨୬ ସୁଦ୍ଧା ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିବ

ଭୁବନେଶ୍ୱର,୧୭ା୫ (ଅନୁରାଧା ମହାରଣା): ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତ ୪ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ଏପରିକି ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଅତିକ୍ରମ କରିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ସଦସ୍ୟ ସଞ୍ଜୀବ ସାନ୍ୟାଲ ଗୁରୁବାର ଏକ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କିଛି ମତ ପ୍ରକାଶ କରିଛନ୍ତି।

ସେହିଭଳି ସାନ୍ୟାଲ କହିଛନ୍ତି, ଦେଶର ଦୁର୍ବଳ ରପ୍ତାନି ସମେତ ବିଭିନ୍ନ ପ୍ରତିବନ୍ଧକକୁ ବିଚାରକୁ ନେଇ ୭% ଅର୍ଥନୈତିକ ଅଭିବୃଦ୍ଧି ହାର ଭାରତ ପାଇଁ ଏକ ‘ବହୁତ ଭଲ’ ଅଭିବୃଦ୍ଧି ହେବ। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଜାପାନ ବର୍ତ୍ତମାନ ୪.୧ ଟ୍ରିଲିୟନ ଡଲାର ସହ ଟିକେ ଆଗରେ ଅଛି। ତେଣୁ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଭାରତ ଜାପାନକୁ ଅତିକ୍ରମକରି ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ତାଙ୍କ କହିବାନୁସାରେ, ଜର୍ମାନୀ ଅର୍ଥନୀତି ୪.୬ ଟ୍ରିଲିୟନ ଡଲାରରେ ସ୍ଥିର ରହିଛି। ଆପାତତଃ ୨ ବର୍ଷ ମଧ୍ୟରେ ଭାରତ ଜର୍ମାନୀ ଅର୍ଥନୀତିକୁ ମଧ୍ୟ ଅତିକ୍ରମ କରିପାରିବ। ତେଣୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିର ଭାରତ ନିକଟତର ଥିବା ସେ କହିଛନ୍ତି।

ସାନ୍ୟାଲ କହିଛନ୍ତି , ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବିକାଶର ମିଶ୍ରଣ କାରଣ ଏହା ନିଯୁକ୍ତି ଏବଂ ରାଜସ୍ବ ବୃଦ୍ଧି କରିବ। ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଏବଂ ଫିଚ୍‌ ରେଟିଂ ଭାରତର ଅଭିବୃଦ୍ଧି ହାରକୁ ୭ ପ୍ରତିଶତରେ ଆକଳନ କରିଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌), ଏସ୍‌ ଆଣ୍ଡ ପି ଗ୍ଲୋବାଲ ରେଟିଂ ଏବଂ ମୋର୍ଗାନ ଷ୍ଟାନ୍‌ଲି ଆର୍ଥିକ ବର୍ଷ ୨୦୨୫ ପାଇଁ ୬.୮ ପ୍ରତିଶତ ଅଭିବୃଦ୍ଧି ହାର ଧାର୍ଯ୍ୟ କରିଛନ୍ତି । ସେ କହିଛନ୍ତି , ଯେକୌଣସି ନିର୍ଦ୍ଦିଷ୍ଟ ବର୍ଷରେ ବହୁ ଉଚ୍ଚ ଅଭିବୃଦ୍ଧି ହାର ହାସଲ କରିବାକୁ ଚେଷ୍ଟା କରିବା ଦିଗରେ ଭାବପ୍ରବଣ ହୋଇପଡ଼ିବା ଉଚିତ ନୁହେଁ। ସାନ୍ୟାଲ ଦର୍ଶାଇଛନ୍ତ, ଦକ୍ଷିଣ- ପୂର୍ବ ଏସିଆର ଇଣ୍ଡୋନେସିଆ, ଥାଇଲାଣ୍ଡ ଭଳି ଦେଶର ସ୍ଥିତି ୯୦ ଦଶକର ମଧ୍ୟଭାଗରେ ବହୁତ ଭଲ ଥିଲା। ମାତ୍ର ଏସୀୟ ସଙ୍କଟରେ ସମାପ୍ତ ହେଲା ବୋଲି ସେ କହିଛନ୍ତି। ସେ କହିଛନ୍ତି , ଦେଶର ଆର୍ଥିକ ବ୍ୟବସ୍ଥା, ମୁଦ୍ରା ବ୍ୟବସ୍ଥା, ସାମ୍ପ୍ରତିକ ଆକାଉଣ୍ଟ ସମ୍ପର୍କିତ ସମସ୍ୟା ସୃଷ୍ଟି ନ କରିବା ଭଲ। ଟଙ୍କାର ଅନ୍ତର୍ଜାତୀୟକରଣ ଉପରେ ଏକ ପ୍ରଶ୍ନର ଉତ୍ତରରେ ସାନ୍ୟାଲ କହିଛନ୍ତି, ଆଗାମୀ ୧ ଦଶନ୍ଧି ମଧ୍ୟରେ ଅନ୍ୟାନ୍ୟ ମୁଦ୍ରାର ସମକକ୍ଷ ହେବାକୁ ଚେଷ୍ଟା କରୁଛୁ, ମାତ୍ର ଆମେ ବିଶ୍ୱର ପ୍ରମୁଖ ମୁଦ୍ରା ହେବାକୁ ଚେଷ୍ଟା କରୁନାହୁଁ। ସାନ୍ୟାଲ କହିଛନ୍ତି, ଆସନ୍ତା ଦଶନ୍ଧି ମଧ୍ୟରେ ଭାରତର ଉଦ୍ଦେଶ୍ୟ ହେଉଛି ଏହାର ବ୍ୟାପକ ବ୍ୟବହାର। ବିଶେଷକରି ଦେଶର ନିଜସ୍ବ ବ୍ୟବସାୟ ଦୃଷ୍ଟିରୁ ଟଙ୍କାକୁ ଏକ ହାର୍ଡ କରେନ୍ସିରେ ପରିଣତ କରିବ।

Share