Categories: ଜାତୀୟ

୨୦୩୨ ସୁଦ୍ଧା ଭାରତୀୟ ସେନାର ଅଧା ହେବ ଅଗ୍ନିବୀରଙ୍କ ସଂଖ୍ୟା, ପ୍ରତିବର୍ଷ ଦେଢ଼ ଲକ୍ଷ ନିଯୁକ୍ତି …

ନୂଆଦିଲ୍ଲୀ, ୧୬।୬ : ଭାରତୀୟ ସେନାରେ ସମ୍ପ୍ରତି ୧୨ ଲକ୍ଷ ଯବାନ ଅଛନ୍ତି। ଅଗ୍ନିପଥ ଯୋଜନା ଅନୁସାରେ ୨୦୩୨ ସୁଦ୍ଧା ଅଗ୍ନିବୀରଙ୍କ ସଂଖ୍ୟା ଏହାର ଅଧା ସହିତ ସମାନ ହେବ। ଅର୍ଥାତ ଆଗାମୀ ୧୦ ବର୍ଷ ମଧ୍ୟରେ ଅଗ୍ନିପଥ ଯୋଜନା ଅଧୀନରେ ପ୍ରାୟ ୬ ଲକ୍ଷ ଯବାନ ଭାରତୀୟ ସେନାରେ ଯୋଗଦେବେ।

ପ୍ରଥମ ବ୍ୟାଚରେ ୪୬ ହଜାର ନିଯୁକ୍ତି ପ୍ରଦାନ କରାଯିବ। ଆଗାମୀ ୬ ରୁ ୭ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦେଢ଼ ଲକ୍ଷକୁ ବୃଦ୍ଧି ପାଇବ। ଆଗାମୀ ୧୦ ବର୍ଷ ମଧ୍ୟରେ ଏହା ୧.୬ ଲକ୍ଷ ପାଖାପାଖି ହୋଇପାରେ ବୋଲି ଲ୍ୟୁଟନାଟ୍‌ ଜେନେରାଲ ବି.ଏସ ରାଜୁ ସୂଚନା ପ୍ରଦାନ କରିଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆକୁ ସୂଚନା ଦେଇ ସେନାର ଉପାଧ୍ୟକ୍ଷ କହିଛନ୍ତି, ଆମେ ଏହି ଯୋଜନା ଅନ୍ତର୍ଗତ ପ୍ରତିବର୍ଷ ନିଯୁକ୍ତି କରିବାକୁ ଯାଉଛୁ। ଚଳିତ ବର୍ଷ ପ୍ରାୟ୪୦ ହଜାର ନିଯୁକ୍ତି ହେବ। ସପ୍ତମ କିମ୍ବା ଅଷ୍ଟମ ବର୍ଷ ସୁଦ୍ଧା ଏହା ୧.୨ ଲକ୍ଷ ହେବ ଏବଂ ଦଶମ କିମ୍ବା ଏକାଦଶ ବର୍ଷ ସୁଦ୍ଧା ଏହା ୧.୬ ଲକ୍ଷ ଛୁଇଁବ। ସମସ୍ତ ନିଯୁକ୍ତି ଅଧିକାରୀଙ୍କ ବ୍ୟତୀତ କେବଳ ଅଗ୍ନିପଥ ଯୋଜନା ଅନ୍ତର୍ଗତ କରାଯିବ। ଦରମା ଏବଂ ପେନସନ ବିଲ ହ୍ରାସ କରିବା ଲକ୍ଷ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ସୈନିକ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଘୋଷଣା କରାଯାଇଛି।

ଭାରତୀୟ ବାୟୁସେନା ଏବଂ ନୌସେନା ଚଳିତ ବର୍ଷ ୩ ହଜାର ଅଗ୍ନିବୀର ନିଯୁକ୍ତ କରିବେ। ଆଗାମୀ ବର୍ଷରେ ସେମାନଙ୍କ ସଂଖ୍ୟା ଅନୁପାତରେ ବୃଦ୍ଧି ପାଇବ। ନିୟମିତ କ୍ୟାଡର ସୈନିକ ଭାବରେ ୧୫ ବର୍ଷ ସେବା ପାଇଁ ସେନାବାହିନୀର ପ୍ରତ୍ୟେକ ବ୍ୟାଚ ମଧ୍ୟରୁ କେବଳ ୨୫ ପ୍ରତିଶତ ସର୍ବୋତ୍ତମଙ୍କୁ ସେନାରେ ରଖାଯିବ। ଚାରି ବର୍ଷ ପରେ ବାକି ୭୫ ପ୍ରତିଶତଙ୍କୁ ଅପସାରଣ କରାଯିବ।

ଲ୍ୟୁଟନାଟ୍‌ ଜେନେରାଲ ବି.ଏସ ରାଜୁ କହିଛନ୍ତି, ନିୟମିତ କ୍ୟାଡର ସୈନିକଙ୍କ ସଂଖ୍ୟା (ପୂର୍ବତନ ସୈନିକ) ଏବଂ ଅଗ୍ନିବୀର (ଚାରି ବର୍ଷର କାର୍ଯ୍ୟକାଳ ସୈନିକ)ଙ୍କ ଅନୁପାତକୁ ୫୦-୫୦ରେ ପହଞ୍ଚାଇବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ଛଅରୁ ସାତ ବର୍ଷ ମଧ୍ୟରେ ଭାରତୀୟ ସେନାରେ ସୈନିକମାନଙ୍କର ହାରାହାରି ବୟସ ୩୨ ରୁ ୨୪-୨୬କୁ ହ୍ରାସ ପାଇବ। ଏହା ଦ୍ୱାରା ଭାରତୀୟ ସେନାରେ ଅଧିକ ଯୁବବର୍ଗ ରହିବେ।

Share