ଗ୍ଲାସ୍ଗୋ, ୨।୧୧: ୨୦୭୦ ସୁଦ୍ଧା ଭାରତ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବ ବୋଲି ସ୍କଟ୍ଲାଣ୍ଡର ଗ୍ଲାସ୍ଗୋ ସହରରେ ଅନୁଷ୍ଠିତ ଜଳବାୟୁ ସମ୍ମିଳନୀ (କୋପ୍୨୬)ରେ ସୋମବାର ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଥମ ଥର ଲାଗି ଭାରତ ପକ୍ଷରୁ ଏଭଳି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଚାଇନା ପାଇଁ ଧାର୍ଯ୍ୟ ଲକ୍ଷ୍ୟଠାରୁ ଏହା ୧୦ ବର୍ଷ ଏବଂ ଆମେରିକା ଓ ୟୁରୋପୀୟ ୟୁନିୟନଠାରୁ ୨୦ ବର୍ଷ ଅଧିକ। ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ଜାତିସଂଘ ସମ୍ମିଳନୀରେ ୫ଟି ପ୍ରତିଶ୍ରୁତି ଦେଇଛନ୍ତି। ତାହା ହେଲା ୨୦୩୦ ସୁଦ୍ଧା ଭାରତର ଅଣଜୀବାଶ୍ମ ବିଦ୍ୟୁତ ଉତ୍ପାଦନ ସାମର୍ଥ୍ୟ ୫୦୦ ଗିଗାଓ୍ବାଟରେ ପହଞ୍ଚତ୍ବ। ସେହି ସମୟ ସୁଦ୍ଧା ଭାରତ ଏହାର ଶକ୍ତି ଚାହିଦାର ୫୦ ପ୍ରତିଶତ ଅକ୍ଷୟ ଶକ୍ତିରୁ ପୂରଣ କରିବ। ବର୍ତ୍ତମାନଠାରୁ ୨୦୩୦ ମଧ୍ୟରେ ଭାରତ ଅଙ୍ଗାରକାମ୍ଳ ନିର୍ଗମନ ୧୦୦ କୋଟି ଟନ୍ କମାଇବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିବ। ଚତୁର୍ଥରେ ୨୦୩୦ ସୁଦ୍ଧା ନୂଆଦିଲ୍ଲୀ ଏହାର ଅର୍ଥନୀତିର କାର୍ବନ ଇଣ୍ଟେନସିଟିକୁ ୪୫ ପ୍ରତିଶତରୁ କମ୍ କରିବ। ଶେଷରେ ୨୦୭୦ ବେଳକୁ ଭାରତ କାର୍ବନ ନ୍ୟୁଟ୍ରାଲ ଲକ୍ଷ୍ୟ ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜୀବନଶୈଳୀରେ ପରିବର୍ତ୍ତନକୁ ଏକ ବିଶ୍ୱ ମିଶନ ଭାବେ ଗ୍ରହଣ କରିବାକୁ ମୋଦି ଆହ୍ବାନ ଦେଇଛନ୍ତି। ଏଥିସହିତ ବିକଶିତ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପାଣ୍ଠିକୁ ୧ ଟ୍ରଲିୟନ ଡଲାର ପ୍ରଦାନ ଲାଗି ଦେଇଥିବା ପ୍ରତିଶ୍ରୁତି ଯଥାଶୀଘ୍ର ପୂରଣ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଗ୍ରୀନ୍ ଗ୍ୟାରେଣ୍ଟି ଦେବ ବ୍ରିଟେନ
ଭାରତରେ ଗ୍ରୀନ୍ ପ୍ରୋଜେକ୍ଟ ପାଇଁ ଅତିରିକ୍ତ ୭୫୦ ନିୟୁତ ପାଉଣ୍ଡ ସହାୟତା ଲାଗି ବ୍ରିଟେନ ବିଶ୍ୱବ୍ୟାଙ୍କକୁ ‘ଇଣ୍ଡିଆ ଗ୍ରୀନ୍ ଗ୍ୟାରେଣ୍ଟି’ ପ୍ରଦାନ କରିବ। ସୋମବାର କୋପ୍୨୬ ସମିଟ୍ରେ ଏହା ଘୋଷଣା କରାଯାଇଛି। ଏହି ଗ୍ରୀନ୍ ଗ୍ୟାରେଣ୍ଟି ଫାଇନାନ୍ସିଂ ଭାରତର ପ୍ରଦୂଷଣମୁକ୍ତ ଶକ୍ତି, ପରିବହନ ଓ ସହରାଞ୍ଚଳ ବିକାଶ ଆଦି ସେକ୍ଟରରେ ଭିତ୍ତିଭୂମି ବିକାଶରେ ସହାୟକ ହେବ। ଭାରତରେ ବିଦ୍ୟୁତଚାଳିତ ଯାନ ସମେତ ବିକାଶଶୀଳ ଦେଶଗୁଡ଼ିକରେ ଗ୍ରୀନ୍ ପ୍ରକଳ୍ପର ବିକାଶ ଲାଗି ବ୍ରିଟେନ ୨୧୦ ନିୟୁତ ପାଉଣ୍ଡ ନିବେଶ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଜଳବାୟୁ ସମ୍ମିଳନୀ (କୋପ୍୨୬) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବ୍ରିଟିଶ ପ୍ରତିପକ୍ଷ ବୋରିସ୍ ଜନ୍ସନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏଥିରେ ଗ୍ରୀନ୍ ହାଇଡ୍ରୋଜେନ୍, ଅକ୍ଷୟ ଶକ୍ତି, ସ୍ବଚ୍ଛ ପ୍ରଯୁକ୍ତି, ଅର୍ଥନୀତି ଏବଂ ପ୍ରତିରକ୍ଷା ଆଦି ପ୍ରସଙ୍ଗ ରହିଥିଲା। କୋଭିଡ୍ ଯୋଗୁ ବୋରିସ ଦୁଇଥର ଭାରତ ଗସ୍ତ ବାତିଲ କରିବା ପରେ ପ୍ରଥମ ଥର ପାଇଁ ମୋଦିଙ୍କ ସହ ତାଙ୍କର ବୈଠକ ଅନୁଷ୍ଠିତ ହୋଇଛି। ଗ୍ଲାସ୍ଗୋରେ ଜଳବାୟୁ ସମ୍ପର୍କିତ ଆଲୋଚନା ଆରମ୍ଭ ହୋଇଥିବାବେଳେ ଭାରତ-ବ୍ରିଟେନ ରଣନୀତିକ ସହଯୋଗ ବୃଦ୍ଧି ପାଇଁ ୨୦୩୦ ରୋଡମ୍ୟାପ୍ର ସମୀକ୍ଷା କରିଛନ୍ତି। ମେ’ରେ ଭର୍ଚୁଆଲ ସମିଟ୍ରେ ମୋଦି ଓ ବୋରିସ୍ଙ୍କ ମଧ୍ୟରେ ଭାରତ-ବ୍ରିଟେନ ରଣନୀତିକ ସହଯୋଗ ଚୁକ୍ତି ସ୍ବାକ୍ଷର ହୋଇଥିଲା। କୋପ୍୨୬ରେ ଯୋଗଦେବା ପାଇଁ ମୋଦି ଗ୍ଲାସ୍ଗୋରେ ପହଞ୍ଚତ୍ବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
୧୦ ବର୍ଷରେ ସମୁଦ୍ର ପତ୍ତନ ୨ ଗୁଣ ବୃଦ୍ଧି
ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ସମୁଦ୍ରପତ୍ତନ ହାରାହାରି ୨ ଗୁଣ ବୃଦ୍ଧି ପାଇଛି। ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁ ବରଫ ଏବଂ ଗ୍ଲେସିୟର ତରଳିବା ଏହାର ପ୍ରମୁଖ କାରଣ ବୋଲି ଗ୍ଲାସ୍ଗୋ ଜଳବାୟୁ ସମ୍ମିଳନୀରେ ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍ଓ) ରିପୋର୍ଟରେ କୁହାଯାଇଛି। ୧୯୯୩ରୁ ୨୦୦୨ ମଧ୍ୟରେ ସମୁଦ୍ରପତ୍ତନ ବୃଦ୍ଧି ବର୍ଷକୁ ୨.୧ ମି.ମି. ଥିବାବେଳେ ୨୦୧୩ରୁ ୨୦୨୧ ମଧ୍ୟରେ ତାହା ବର୍ଷକୁ ୪.୪ ମି.ମି. ରହିଛି। ଆର୍କଟିକ୍ ସାମୁଦ୍ରିକ ବରଫ ଗତ ମାର୍ଚ୍ଚରେ ୧୯୮୧-୨୦୧୦ ବର୍ଷର ହାରାହାରି ମାତ୍ରାଠାରୁ କମ୍ସ୍ତରକୁ ଚାଲିଯାଇଥିଲା। ସେହିପରି ଜୁନ୍ ଏବଂ ଜୁଲାଇ ପ୍ରାରମ୍ଭରେ ଲାପ୍ଟେଭ୍ ସାଗର ଏବଂ ପୂର୍ବ ଗ୍ରୀନ୍ଲ୍ୟାଣ୍ଡ ସାଗର ଅଞ୍ଚଳରେ ସାମୁଦ୍ରିକ ବରଫ ମାତ୍ରା ଦ୍ରୁତଗତିରେ ହ୍ରାସ ପାଇଥିଲା। ଗତ ୭ ବର୍ଷ ସବୁଠାରୁ ଉତ୍ତପ୍ତ ଭାବେ ରେକର୍ଡ କରିଛି। ୨୦୨୧ରେ ସର୍ବାଧିକ ମାତ୍ରାରେ ସମୁଦ୍ରପତ୍ତନ ବୃଦ୍ଧି ପାଇଥିବା ଏଥିରେ ଦର୍ଶାଯାଇଛି। ସାମୁଦ୍ରିକ ଝଡ଼, ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ପାଇଁ ଭାରତ ଗତ ବର୍ଷ ୮୭ ବିଲିୟନ ଡଲାର କ୍ଷତିସହିଥିବା ଡବ୍ଲ୍ୟୁଏମ୍ଓର ଷ୍ଟେଟ୍ ଅଫ୍ ଦି କ୍ଲାଇମେଟ ଇନ୍ ଏସିଆ ରିପୋର୍ଟ ପ୍ରକାଶ କରିଥିଲା। ବିଶେଷକରି ଆରବସାଗର ପୃଷ୍ଠଭାଗ ତାପମାତ୍ରା ବିଶ୍ୱର ଅନ୍ୟ ସାଗର ତୁଳନାରେ ଅଧିକ ରହିଥିଲା। ଦ୍ରୁତଗତିରେ ସମୁଦ୍ରପତ୍ତନ ବୃଦ୍ଧି ଭାରତ ପାଇଁ ଆଗକୁ ଆହୁରି ବିପଦ ଆଣିପାରେ ବୋଲି ଏଥିରେ କୁହାଯାଇଥିଲା।