୨୦୫୦ ସୁଦ୍ଧା ନିଶ୍ଚିହ୍ନ ହେବ ଭିତରକନିକା ହେନ୍ତାଳବଣ

କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୧୭।୧୨ (ଡି.ଏନ୍‌.ଏ.):ବ୍ରାହ୍ମଣୀ ଓ ଖରସ୍ରୋତାର ମଧୁର ଜଳ ପରିମାଣ କମୁଛି। ମୌସୁମୀ ସମୟରେ ଭିତରକନିକାର ହେନ୍ତାଳ ବଣ ପାଇଁ ୭୦ ପ୍ରତିଶତ ଜଳ ଆବଶ୍ୟକ ଥିବା ବେଳେ ଏବେ ୪୦ ପ୍ରତିଶତ ରହିଛି। ସେହିପରି ଅଣମୌସୁମୀ ସମୟ ଜାତୀୟଉଦ୍ୟାନର ସମସ୍ୟାକୁ ଅଧିକ ଜଟିଳ କରିଛି। ଏହି ସମୟରେ ମାତ୍ର ୧୫ ପ୍ରତିଶତ ପାଣି ଭିତରକନିକାର ହେନ୍ତାଳବଣ ପାଉଛି। ଏପରି ଧାରା ଆଗକୁ ଜାରି ରହିଲେ ୨୦୫୦ ସୁଦ୍ଧା ଏହି ଜାତୀୟ ଉଦ୍ୟାନ ଶ୍ରୀହୀନ ହେବ। ଏପରି କି ଜିଲା ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ହରାଇବ। ଭିତରକନିକା ରାମସାର ସାଇଟ ସମନ୍ବିତ ପରିଚାଳନାରେ ଜଳ ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳାରେ ବିଶେଷଜ୍ଞମାନେ ଏପରି ମତ ଦେଇଛନ୍ତି।
ଭିତରକନିକା ହେନ୍ତାଳ ବଣ ପରିଚାଳନା ପାଇଁ ଆୟୋଜିତ ଏହି କର୍ମଶାଳା ରାଜନଗର ବ୍ଲକ ଗୁପ୍ତିଠାରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଗବେଷକ ବୈଜ୍ଞାନିକ ଡ. ଗୁରୁଦୀପ ରସ୍ତୋଗୀ କହିଥିଲେ, ଭିତରକନିକା ଲୁଣାଜଙ୍ଗଲ ଜୈବ ବିବିଧତାରେ ସୀମିତ ନୁହେଁ। ଆଦ୍ରଭୂମିର ଉପକାରିତା ମଣିଷ ସମାଜ ପାଇଁ ସାମ୍ପ୍ରତିକ ସମୟରେ ଜରୁରୀ ହୋଇପଡିଛି। ଏହି ଅବସରରେ ବୃତ୍ତଚିତ୍ର ମାଧ୍ୟମରେ ଏହି ଅଞ୍ଚଳକୁ ଆସୁଥିବା ମଧୁର ଜଳର ହ୍ରାସ ସମ୍ପର୍କରେ ବିସ୍ତୃତ ବିବରଣୀ ସେ ଉପସ୍ଥାପିତ କରିଥିଲେ। ଶିଳ୍ପରେ ନଦୀପାଣିର ଉପଯୋଗିତା, ରାଷ୍ଟ୍ରାୟତ୍ତ କମ୍ପାନୀର ଜଳ ଶୋଷଣ, ନଦୀ ଶଯ୍ୟାର ଉନ୍ନତୀକରଣ ନ ହେବା, ନଦୀପଥରେ ଜବରଦଖଲ ଆଦି ଜଳସ୍ରୋତର ହ୍ରାସର କାରଣ ବୋଲି ଦର୍ଶାଇବା ସହ ଏନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ମଧୁରଜଳର ଦ୍ରୁତ ହ୍ରାସ ଦ୍ୱାରା ଭିତରକନିକାର ହେନ୍ତାଳ ବଣ ସମେତ ବନ୍ୟଜନ୍ତୁ ଓ ପଶୁପକ୍ଷୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବା ବୈଜ୍ଞାନିକ ରସ୍ତୋଗୀ ସାଧାରଣରେ ସତର୍କ କରାଇଥିଲେ। ଏହି କର୍ମଶାଳାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଖୁସୱନ୍ତ ସିଂହ କହିଥିଲେ, ରାଜ୍ୟରେ ଥିବା ଭିତରକନିକା ଓ ଚିଲିକା ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ କାରଣରୁ ଖ୍ୟାତି ଅର୍ଜନ କରିଛି। ଏଠାରେ ଥିବା ପରିବେଶ ବନ୍ୟ ଜୀବଜନ୍ତୁଙ୍କ ସହିତ ସାମୁଦ୍ରିକ ପ୍ରାଣୀ ପାଇଁ ଉପଯୁକ୍ତ। ବିଦେଶାଗତ ପକ୍ଷୀଙ୍କ କଳରବ, ଗହୀରମଥାର ବିରଳ ଅଲିଭ ରିଡଲେଙ୍କ ପ୍ରଜନନ ସ୍ଥଳ, ଲୁଣା କୁମ୍ଭୀର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ତେବେ ଲୁଣା ପାଣି ସହିତ ଆନୁପାତିକ ଭାବେ ମିଶୁଥିବା ମଧୁର ଜଳ ଏବେ ହେନ୍ତାଳବଣ ଓ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। ହେନ୍ତାଳ ବଣ ସୁରକ୍ଷାରେ ତଟବର୍ତ୍ତୀ ଜିଲା ସୁନାମିରୁ ରକ୍ଷା ପାଇବ ବୋଲି ସେ ମତ ଦେଇଥିଲେ। ଏହି ଅବସରରେ ଭିତରକନିକା ପ୍ରତି ଚିଙ୍ଗୁଡି ଘେରିର ବିପଦ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରିଣୀ ମମତା ମହାପାତ୍ର ଉଲ୍ଲେଖ କରିଥିଲେ। ସେହିପରି ରାଜକନିକା ବ୍ଲକ ବରୁଣାଡିହାଠାରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ପରିବେଶବିତ୍‌ ଶ୍ରୀକାନ୍ତ ନାୟକ ବିରୋଧ କରିବା ସହିତ ପରିବେଶବିତ୍‌ ବିରଜା ପ୍ରସାଦ ପତି, ବିଜୟ କବି, ବୁଦ୍ଧିଜୀବୀ ଭାସ୍କର ରାଉତରାୟ ପ୍ରମୁଖ ଇକୋ ସେନସେଟିଭ ଜୋନର ସୁରକ୍ଷା ପାଇଁ ମାଷ୍ଟର ପ୍ଲାନର ଆବଶ୍ୟକତା ସମ୍ପର୍କରେ ମତ ଦେଇଥିଲେ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ରାଜନଗର ବନ ବିଭାଗ ଓ ଦିଲୀସ୍ଥିତ ଜିଇଜେଡ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ ଅଧ୍ୟକ୍ଷତା କରି ଭିତରକନିକାର ଜୈବ ବିବିଧତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କର୍ମଶାଳାକୁ ରାଜନଗର ବନବିଭାଗର ପ୍ରମୁଖ ଅଧିକାରୀମାନେ ପରିଚାଳନା କରିଥିଲେ।

Share