Categories: ଜାତୀୟ

୨୦୫୦ ସୁଦ୍ଧା ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩ ଗୁଣା ହେବ

ନୂଆଦିଲ୍ଲୀ,୭।୧: ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଆସନ୍ତା ୨୦୫୦ ସୁଦ୍ଧା ୩ ଗୁଣା ହେବ। ୨୦୧୧ ଜନଗଣନା ଅନୁସାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୦ କୋଟି ରହିଛି। ତେବେ ଆଉ ୩୦ ବର୍ଷ ପରେ ଏହି ସଂଖ୍ୟା ୩୧ କୋଟିରୁ ଅଧିକରେ ପହଞ୍ଚିବ। ବର୍ଷ ପିଛା ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩ ପ୍ରତିଶତ ହାରରେ ବୃଦ୍ଧି ପାଇବ। କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେଣୁ ଉପଯୋଗୀ ସ୍ବାସ୍ଥ୍ୟ ନୀତି ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି। କିଭଳି ଦେଶର ୬୦ ବର୍ଷ ବୟସ ଅବା ଏହାଠାରୁ ଅଧିକ ବୟସ୍କଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେନେଇ ଚିନ୍ତା କରିବା ଉଚିତ। ସମ୍ପ୍ରତି ଦେଶର ୫୫ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୫ କୋଟି ବରିଷ୍ଠ ନାଗରିକ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଭୋଗୁଥିବା ରିପୋର୍ଟରେ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କ ଚିକିତ୍ସା ଘରେ କରାଯାଇପାରିବ। ଅପରପକ୍ଷରେ ୧୦ ପ୍ରତିଶତଙ୍କ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯିବାର ଆବଶ୍ୟକତା ରହିଛି। ସେହିପରି ୪୦ ପ୍ରତିଶତ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଦିବ୍ୟାଙ୍ଗତା ରହିଥିବାବେଳେ ୨୦ ପ୍ରତିଶତ ମାନସିକ ସମସ୍ୟାଗ୍ରସ୍ତ ରହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ଭେ କରାଯାଇଥିଲା। ଏଥିରେ ୭୦ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।

Share