ଏହି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ଜିତିଲେ ଯୁବତୀ

ଫ୍ଲୋରିଡା,୧୭।୫: ମେକ୍ସିକୋର ଆଣ୍ଡ୍ରିଆ ମେଜା ୬୯ତମ ମିସ ୟୁନିଭର୍ସ ଟାଇଟଲ ଜିତିଛନ୍ତି। ଫ୍ଲୋରିଡାର ସେମିନୋଲ ହାର୍ଡ ରକ ହୋଟେଲ ଆଣ୍ଡ କସିନୋରେ ମିସ ୟୁନିଭସର ଗ୍ରାଣ୍ଡ ଫାଇନାଲ ସମାରୋହ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମିସ ୟୁନିଭର୍ସ ଜୋଜିବିନି ତୁଞ୍ଜିଙ୍କଠାରୁ ଆଣ୍ଡ୍ରିଆ ମିସ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ। ଆଣ୍ଡ୍ରିଆ ବିଜେତା ଭାବେ ତାଙ୍କ ନାମ ଶୁଣିବା ମାତ୍ରେ ବହୁତ ଭାବପ୍ରବଣ ହୋଇଯାଇଥିଲେ। ବ୍ରାଜିଲର ଜୁଲିଆ ଗାମା ପ୍ରଥମ ରନର୍‌ ଅପ ହୋଇଥିଲେ। ଏଥି ସହିତ ପେରୁର ଜାନିକ ମାକେଟା ଦ୍ୱିତୀୟ ରନର୍‌ ଅପ ହୋଇଥିଲେ। ଭାରତର ଆଡଲାଇନ କାଷ୍ଟେଲିନୋ ତୃତୀୟ ରନର୍‌ ଅପ ହୋଇଥିଲେ ଏବଂ ଡୋମିନିକାନ ରିପବ୍ଲିକର କିମବର୍ଲି ପେରେଜ ଚତୁର୍ଥ ରନର୍‌ ଅପ ହୋଇଥିଲେ। ପ୍ରତିଯୋଗିତାର ଅନ୍ତିମ ରାଉଣ୍ଡରେ ଆଣ୍ଡ୍ରିଆଙ୍କୁ ପଚରାଯାଇଥିଲା ଯେ ଆପଣ ଦେଶର ନେତା ହୋଇଥିଲେ ଆପଣ କରୋନା ମହାମାରୀ ସହିତ କିପରି ମୁକାବିଲା କରିଥାନ୍ତେ? ଏହାର ଜବାବରେ ଆଣ୍ଡ୍ରିଆ କହିଛନ୍ତି, ମୁଁ ବିଶ୍ୱାସ କରେ ଯେ ଏପରି କଠିନ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର କୌଣସି ଉପଯୁକ୍ତ ଉପାୟ ନାହିଁ। ଅବଶ୍ୟ, ଅବସ୍ଥା ଖରାପ ହେବା ପୂର୍ବରୁ ମୁଁ ଲକ୍‌ଡାଉନ୍‌ ପକାଇ ଦେଇଥାନ୍ତି ଯାହା ଦ୍ୱାରା ଲୋକଙ୍କ ଜୀବନ ରକ୍ଷା ପାଇଥାନ୍ତା। କାରଣ ମୁଁ ଲୋକଙ୍କ ଜୀବନ ନଷ୍ଟ ହେଉ ଦେଖିପାରିବି ନାହିଁ, ତେଣୁ ଲୋକମାନଙ୍କ ପ୍ରତି ଯତ୍ନବାନ ହେବାକୁ ପଡିବ। ମୁଁ ଆରମ୍ଭରୁ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥାନ୍ତି ବୋଲି ସେ କହିଛନ୍ତି।

Share