ଏପ୍ରିଲ୍‌ ସୁଦ୍ଧା ଭାରତକୁ ମିଳିପାରେ ୫ ନୂଆ କରୋନା ଟିକା

ନୂଆଦିଲ୍ଲୀ,୧୩।୧: ଏବେ ଭାରତକୁ ଦୁଇଟି କରୋନା ଟିକା ମିଳିଛି। କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ ଟିକାର ସାର୍ବଜନୀକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଆସନ୍ତା ଏପ୍ରିଲ୍‌ ସୁଦ୍ଧା ଦେଶରେ ୫ଟି ନୂଆ ଟିକା ଉପଲବ୍ଧ ହେବ ବୋଲି କୁହାଯାଉଛି। ଏକ ମାସ ମଧ୍ୟରେ ଜାଇଡସ୍‌ କାଡ଼ିଲା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସ୍ବଦେଶୀ ଟିକା ଜାଇକୋ-ଡି ଏବଂ ରୁଷ୍‌ ଟିକା ସ୍ପୁଟନିକ୍‌-୫କୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବାର ସମ୍ଭବନା ରହିଛି। ଏହି ଟିକା ଦୁଇଟିର ଶେଷ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଫେବୃୟାରୀ ଶେଷ ଅବା ମାର୍ଚ୍ଚ ଆରମ୍ଭରେ ଏହି ଦୁୁଇ ଟିକାକୁ ମଞ୍ଜୁରୀ ମିଳିବ ବୋଲି କୁହାଯାଉଛି। ସେହିପରି ଫାଇଜର ଟିକା ଅନୁମତି ପାଇଁ ଆବେଦନ କରିଛି। ବିଶେଷଜ୍ଞ କମିଟି ପକ୍ଷରୁ ଟିକାର ପରୀକ୍ଷଣ ସମ୍ପର୍କିତ ତଥ୍ୟ ଲୋଡ଼ିଛନ୍ତି। ପରୀକ୍ଷଣ ରିପୋର୍ଟ ଅନୁସାରେ ଫାଇଜର ଟିକାର ଜରୁରିକାଳୀନ ବ୍ୟବହାର କରିବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ସେହିପରି ନୋବେଲ ଟିକା ଉପରେ ପରୀକ୍ଷଣ ଜାରି ରହିଛି। ଏହାର ପରୀକ୍ଷା ଶେଷ ହେବା ପାଇଁ ଦୁଇମାସ ସମୟ ଲାଗିବ। ଜେନେଭା ଫାର୍ମାସ୍ୟୁଟିକାଲ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏମ୍‌ଆର୍‌ଏନ୍‌ଏ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଏହାକୁ ଫେବୃୟାରୀ ଶେଷ ସୁଦ୍ଧା ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯିବାର ଆଶା ରହିଛି। ଏହାକୁ ଭାରତୀୟ ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି।

Share