କଟକ ଅଫିସ, ୭ା୧୨: ସହରରେ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଆଗାମୀ ଦିନରେ ମୋଟ ୧୮ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ଖୋଲାଯିବ। ଏନେଇ ସିଏମ୍ସି ବିଜୁ ଭବନଠାରେ ମଙ୍ଗଳବାର ଏକ ସମୀକ୍ଷା ବୈଠକରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଏମ୍ସି କମିଶନର ନିଖିଲ ପୱନ କଲ୍ୟାଣ ପୌରୋହିତ୍ୟ କରିଥିଲେ। ସହରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ଗୁରୁତ୍ୱ ଦିଆଯିବା ସହ ସୁସଙ୍ଗଠିତ ଢଙ୍ଗରେ ଏହାକୁ କାର୍ଯ୍ୟକ୍ଷମ କରାଯିବା ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ା
ପ୍ରଥମଥର ପାଇଁ ସିଏମ୍ସିର ୫୬, ୫୭, ୫୮ ଓ ୫୯ ନମ୍ବର ୱାର୍ଡର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଘରକୁ ଘର ଗାଡି ବୁଲି ଆବର୍ଜନା ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେଥିପାଇଁ ନିକଟସ୍ଥ ନୟାହାଟଠାରେ ଏକ ଏମ୍ସିସି ଖୋଲାଯାଇଛି। ସେଠାରେ ଓଦା ଓ ଶୁଖିଲା ଅଳିଆକୁ ଅଲଗା କରାଯାଇ ମ୍ୟୋଟେରିଆଲ ରିକଭରି ଫାସିଲିଟି (ଏମ୍ଆର୍ଏଫ୍) ଜରିଆରେ ଶୁଖିଲା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କାର୍ଯ୍ୟ କରାଯାଇଛି। ଡିସେମ୍ବର ଶେଷ ସୁଦ୍ଧା ନୟାବଜାରସ୍ଥିତ ଗୋଶାଳା ଓ ଯୋବ୍ରାରେ ଆଉ ଦୁଇଟି ଏମ୍ସିସି କାର୍ଯ୍ୟକ୍ଷମ କରାଯିବା ପାଇଁ କମିଶନର ନିର୍ଦ୍ଦେଶ ଦେବା ସହ ଏହାର ଭିତ୍ତିଭୂମି ଓ ଯନ୍ତ୍ରପାତି ସ୍ଥାପନ ସଂକ୍ରାନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଯନ୍ତ୍ରୀମାନଙ୍କୁ ତାଗିଦ୍ କରିଛନ୍ତି ା ପରବର୍ତ୍ତୀ ପର୍ଯ୍ୟାୟରେ ଷଣ୍ଢପୁର, ଉତ୍ତମାପୁର, ବକ୍ସିବଜାର ଅଞ୍ଚଳ ପୁରୁଣା କିଲ୍ଖାନା ନିକଟରେ ୪ଟି ଏମ୍ସିସି ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବୈଠକରେ ସିଏମ୍ସି ଡେପୁଟି କମିଶନର ସଞ୍ଜିବୀତା ରାୟଙ୍କ ସମେତ ବିଭାଗୀୟ ଯନ୍ତ୍ରୀ, ପରିମଳ ବିଶେଷଜ୍ଞ ଓ ଅନ୍ୟମାନେ ଉପସ୍ଥିତ ଥିଲେ ା