ପ୍ରକାଶ ପାଇଲା ଉପନିର୍ବାଚନ ବିଜ୍ଞପ୍ତି: ନଭେମ୍ବର ୩ରେ ବାଲେଶ୍ୱର ସଦର, ତିର୍ତ୍ତୋଲରେ ହେବ ମତଦାନ

ଭୁବନେଶ୍ୱର,୯ା୧୦(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ପ୍ରାର୍ଥତ୍ପତ୍ର ଦାଖଲ କରାଯାଉଛି। ଅକ୍ଟୋବର ୧୬ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଅକ୍ଟୋବର ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ହେବା ସହ ଅକ୍ଟୋବର ୧୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି। ମତଦାନ ପରେ ନଭେମ୍ବର ୧୦ରେ ଭୋଟଗଣତି ହେବ।

ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀ ୮୦ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ କରୋନା ସଂକ୍ରମିତମାନେ ପୋଷ୍ଟାଲ ବାଲାଟରେ ନିଜର ମତଦାନ କରିବେ। ଏଣୁ ପୋଷ୍ଟାଲ ବାଲାଟରେ ଭୋଟ ଦାନ କିପରି ସୁରୁଖୁରୁରେ କରାଯିବ ସେନେଇ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ବାଲେଶ୍ୱର ଓ ଜଗତସିଂହପୁର ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ସମୀକ୍ଷା କରିଛନ୍ତି।

 

ପ୍ରାର୍ଥତ୍ପତ୍ର ଦାଖଲ ପରଠାରୁ ୧୩ ତାରିଖ ପର୍ଯ୍ୟନ୍ତ ନିର୍ବାଚନରେ ନିୟୋଜିତ କର୍ମଚାରୀ ଘରଘର ବୁଲି ଫର୍ମ-୧୨ ଯୋଗାଇ ଦେବେ। ଯେଉଁମାନେ ଚାହିଁବେ ସେମାନେ ପୋଷ୍ଟାଲ ବାଲାଟରେ ଭୋଟ ଦେବା ଲାଗି ୧୪ ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀଙ୍କୁ ଆବେଦନପତ୍ର ଦେଇଦେବେ। ପୋଷ୍ଟାଲ ବାଲାଟ ବ୍ୟବସ୍ଥା ଥିଲେ ବି ବରିଷ୍ଠ ନାଗରିକ ମତଦାନ କେନ୍ଦ୍ରକୁ ଯାଇ ମତଦାନ ସାବ୍ୟସ୍ତ କରିପାରିବେ। କିନ୍ତୁ କରୋନା ସଂକ୍ରମିତ ପୋଷ୍ଟାଲ ବାଲାଟରେ ମତଦାନ କରିବା ବାଧ୍ୟତାମୂଳକ।

Share