ନଭେମ୍ବର ୨୯ ପୂର୍ବରୁ ଉପନିର୍ବାଚନ

ଭୁବନେଶ୍ୱର/ନୂଆଦିଲ୍ଲୀ, ୫।୯(ବ୍ୟୁରୋ): ଆସନ୍ତା ନଭେମ୍ବର ୨୯ ତାରିଖ ପୂର୍ବରୁ ଓଡିଶାରେ ଖାଲି ରହିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ। ବିଧାୟକଙ୍କ ମୃତ୍ୟୁ ଯୋଗୁ ଉଭୟ ଆସନ ଖାଲି ରହିଛି। ଏହାକୁ ମିଶାଇ ଦେଶରେ ଖାଲି ପଡିଥିବା ମୋଟ ୬୫ ବିଧାନସଭା ଓ ଲୋକ ସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ସହ ବିହାରରେ ବିଧାନସଭା ନିର୍ବାଚନ ହେବ। ଶୁକ୍ରବାର ଅନୁଷ୍ଠିତ ବୈଠକ ପରେ ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି।
ବିଭିନ୍ନ ରାଜ୍ୟରେ ୬୪ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ଖାଲି ପଡିଛି। ବିିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ମିଳିଥିବା ରିପୋର୍ଟକୁ ଆଧାରକରି ବୈଠକରେ ସମୀକ୍ଷା କରାଯାଇଥିଲା। କରୋନା ମହାମାରୀ ସାଙ୍ଗକୁ ରାଜ୍ୟରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିକୁ ନେଇ ଅନେକ ରାଜ୍ୟ ସରକାର ଉପ ନିର୍ବାଚନ ଘୁଞ୍ଚାଇବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଆସନ୍ତା ନଭେମ୍ବର ୨୯ ତାରିଖ ସୁଦ୍ଧା ବିହାରର ୨୪୩ଟି ବିଧାନସଭା ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ତେଣୁ ଏହି ସମୟ ପୂର୍ବରୁ ସମସ୍ତ ଉପନିର୍ବାଚନ ଶେଷ କରିବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି। ଉପନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇ ଦିଆଯାଇଛି।
କରୋନା ମହାମାରୀ ସମୟରେ ନିର୍ବାଚନ ହେଉଥିବାରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ କଡାକଡି ପାଳନ କରିବାକୁ ହେବ। ପ୍ରାର୍ଥୀମାନେ ଅନଲାଇନରେ ପ୍ରାର୍ଥୀପତ୍ର ଦାଖଲ କରିବେ। ଶୋଭାଯାତ୍ରା କରି ନାମାଙ୍କନ ପତ୍ର ଦାଖଲକୁ ବାରଣ କରାଯାଇଛି। ଯଦି କେହି ବ୍ୟକ୍ତିଗତ ଭାବେ ନାମାଙ୍କନ ପତ୍ର ଦାଖଲ କରିବାକୁ ଚାହିଁବେ ସେଥିପାଇଁ ମାତ୍ର ଦୁଇ ଜଣଙ୍କୁ ଅନୁମତି ମିଳିବ। ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ। ରାଜ୍ୟର ଦୁଇଟି ବିଧାନସଭା ଉପନିର୍ବାଚନ ଲାଗି ମଧ୍ୟ ଖୁବଶୀଘ୍ର ତାରିଖ ଘୋଷଣା ହେବ। ଏଠାରେ ସୂଚନା ଯୋଗ୍ୟ ଯେ ବାଲେଶ୍ୱର ଭାଜପା ବିଧାୟକ ମଦନ ମୋହନ ଦତ୍ତଙ୍କର ଜୁନ ୧୭ ତାରିଖରେ ପରଲୋକ ହୋଇଥିଲା। ସେହିପରି ତିର୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କର ଜୁଲାଇ ୬ ତାରିଖରେ ବିୟୋଗ ହୋଇଥିଲା। ଉଭୟ ସଦସ୍ୟଙ୍କ ପରଲୋକ ଯୋଗୁ ଏହି ଦୁଇଟି ଆସନ ଖାଲି ରହିଛି । କରୋନା ମହାମାରୀ ସଂକ୍ରମଣ ବ୍ୟାପୀଥିବାରୁ ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ସରଗରମ ହୋଇ ନାହିଁ। ଏହା ସତ୍ତ୍ୱେ ବିଜେଡି, କଂଗ୍ରେସ ଓ ଭାଜପା ଉପ ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଇତି ମଧ୍ୟରେ ଆରମ୍ଭ କରି ଦେଇଛନ୍ତି।

Share