
ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ୫ ପଞ୍ଚାୟତର ସରପଞ୍ଚ, ୨ ପଞ୍ଚାୟତ ସମିତିସଭ୍ୟ ଏବଂ ୯ ଓ୍ବାର୍ଡ ସଭ୍ୟ ପଦବୀ ଖାଲି ରହିଛି। ଏହି ପଦବୀଗୁଡ଼ିକ ପୂରଣ ଲାଗି ଉପନିର୍ବାଚନ କରାଯିବାକୁ ରାଜ୍ୟ ନିର୍ବାଚନ କମିଶନ ସ୍ଥିର କରି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
ଜିଲାର ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ଓ ବୁଡୁରୁଙ୍ଗୁ ପଞ୍ଚାୟତ ସରପଞ୍ଚ, କବିସୂର୍ଯ୍ୟନଗର ବ୍ଲକ୍ ବୋରସିଙ୍ଗି ପଞ୍ଚାୟତ ସରପଞ୍ଚ, ଶେରଗଡ଼ ବ୍ଲକ ତାକରଡ଼ା ପଞ୍ଚାୟତ ସରପଞ୍ଚ ଏବଂ ସୋରଡ଼ା ବ୍ଲକ ଗାଙ୍ଗପୁର ପଞ୍ଚାୟତ ସରପଞ୍ଚ ପଦବୀ ଖାଲି ପଡ଼ିଥିବାରୁ ଏଗୁଡ଼ିକରେ ଉପନିର୍ବାଚନ ହେବ ା
ସେହିପରି କବିସୂର୍ଯ୍ୟନଗର ବ୍ଲକ୍ ଗୁଡ଼ିଆଳି ପଞ୍ଚାୟତ ସମିତିସଭ୍ୟ ଓ କୁକୁଡ଼ାଖଣ୍ଡି ବ୍ଲକ୍ ଡେଙ୍ଗାପଦର ପଞ୍ଚାୟତ ସମିତିସଭ୍ୟ ପଦବୀ ପାଇଁ ମଧ୍ୟ ଉପନିର୍ବାଚନ କରାଯିବ। ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ଧେଇଗାଁ ପଞ୍ଚାୟତର ୩ ନମ୍ବର ଓ୍ବାର୍ଡ ସଭ୍ୟ, ଗେରେଡ଼ା ପଞ୍ଚାୟତର ୬ ନମ୍ବର ଓ୍ବାର୍ଡ ସଭ୍ୟ ଓ ଖମରାପଲି ପଞ୍ଚାୟତର ୧୨ ନମ୍ବର ଓ୍ବାର୍ଡ ସଭ୍ୟ, କବିସୂର୍ଯ୍ୟନଗର ବ୍ଲକ ବୋଲୋସର ପଞ୍ଚାୟତର ୬ ନମ୍ବର ଓ୍ବାର୍ଡ ସଭ୍ୟ, ଖଜାପାଲି ପଞ୍ଚାୟତର ୬ ଓ ୧୦ ନମ୍ବର ଓ୍ବାର୍ଡ ସଭ୍ୟ ଏବଂ ପୋଲସରା ବ୍ଲକ୍ ଢୁଙ୍କାପଡ଼ା ପଞ୍ଚାୟତର ୧୦ ନମ୍ବର ଓ୍ବାର୍ଡ ସଭ୍ୟ, ଜକର ପଞ୍ଚାୟତର ୫ ନମ୍ବର ଓ୍ବାର୍ଡ ସଭ୍ୟ ଓ ମଥୁରା ପଞ୍ଚାୟତର ୧୪ ନମ୍ବର ଓ୍ବାର୍ଡ ସଭ୍ୟ ପଦବୀ ପାଇଁ ମଧ୍ୟ ଉପନିର୍ବାଚନ କରାଯିବାକୁ ସ୍ଥିର ହୋଇଛି।
ଭାରତ ନିର୍ବଚାନ କମିଶନ ପକ୍ଷରୁ ଚଳିତ ବର୍ଷ ଜାନୁଆରୀରେ ପ୍ରକାଶ ପାଇଥିବା ନିର୍ବାଚନାମଣ୍ଡଳୀସ୍ତରୀୟ ଭୋଟର ତାଲିକାକୁ ଆଧାର କରି ଉକ୍ତ ଉପନିର୍ବାଚନ ହେବ। ତେବେ ଉକ୍ତ ଭୋଟର ତାଲିକା ସଂଶୋଧନ କରାଯିବ। ନୂଆ ନାମ ସଂଯୋଗ କରାଯିବନି, କେବଳ ଉକ୍ତ ଭୋଟର ତାଲିକା ସଂଶୋଧନ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପ୍ରିଲ ୩୦ ମଧ୍ୟରେ ପଞ୍ଚାୟତର ଭୋଟର ତାଲିକା ଉପରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ମେ ୨ରୁ ୫ ମଧ୍ୟରେ ଉକ୍ତ ଆପତ୍ତି ଅଭିଯୋଗର ତଦନ୍ତ କରି ଫଇସଲା ହେବ ଏବଂ ମେ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।