ଫେବୃୟାରୀ ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁବ ୬୫ କୋଟି

ନୂଆଦିଲ୍ଲୀ, ୨୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳରେ କେନ୍ଦ୍ରୀୟ ସରକାରୀ କମିଟି ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ନେଇ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ଫେବୃୟାରୀ ବେଳକୁ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୬୫ କୋଟି ଛୁଇଁବ। ଫେବୃୟାରୀ ପୂର୍ବରୁ ଦେଶରେ କରୋନା ଭୂତାଣୁ ଏହାର ରୂପ ବଦଳାଇବ। ଫଳରେ ଏହାର ନିୟନ୍ତ୍ରଣ କରିବା କଷ୍ଟକର ହେବ। ଦେଶର ମୋଟ ଜନସଂଖ୍ୟାର ଅଧାରୁ ଅଧିକ କରୋନା ଦ୍ୱାରା ଆକ୍ରାନ୍ତ ହେବେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଦେଶରେ କରୋନା ସଂକ୍ରମଣ ନେଇ କାନପୁରସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନର ପ୍ରଫେସର ତଥା କେନ୍ଦ୍ରୀୟ ସରକାରୀ କମିଟିର ସଦସ୍ୟ ଡ.ମନିନ୍ଦ୍ର ଅଗଓ୍ବାଲ କହିଛନ୍ତି ଯେ, ସମ୍ପ୍ରତି ଦେଶର ୩୦ ପ୍ରତିଶତ ଜନସଂଖ୍ୟା କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଫେବୃୟାରୀ ବେଳକୁ ଏହା ୫୦ ପ୍ରତିଶତରେ ପହଞ୍ଚିବାର ଆଶଙ୍କା ରହିଛି। ଏହା ପୂର୍ବରୁ ସେରୋ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଦେଶରେ ସମ୍ପ୍ରତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ପ୍ରତିଶତ ରହିଛି। ଆବଶ୍ୟକ ମାର୍ଗଦର୍ଶିକା ପାଳନ ନ କଲେ ଦେଶରେ ପ୍ରତିଦିନ ୨୬ ଲକ୍ଷ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଥିଲା। ପାର୍ବଣ ଋତୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ଥିବା ଏହି ରିପୋର୍ଟରେ ପ୍ରକାଶ ପାଇଥିଲା।

Share