Categories: ଜାତୀୟ

ମାର୍ଚ୍ଚ ସୁଦ୍ଧା ୧୩ ବିମାନ ବନ୍ଦର ଘରୋଇକରଣ

ନୂଆଦିଲ୍ଲୀ,୨୭ ।୧୦: ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଦେଶର ୧୩ ବିମାନ ବନ୍ଦର ଘରୋଇକରଣ ପ୍ରକ୍ରିୟା ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବିମାନ ବନ୍ଦରଗୁଡ଼ିକ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ଦ୍ୱାରା ପରିଚାଳିତ ହେଉଛି। ଏଏଆଇ ଅଧ୍ୟକ୍ଷ ସଞ୍ଜୀବ କୁମାର ସୋମବାର କହିଛନ୍ତି, ୧୩ ବିମାନ ବନ୍ଦରର ତାଲିକା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି। ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ (ପିପିପି) ମୋଡ୍‌ରେ ଏଗୁଡିକୁ ପରିଚାଳନା କରିବାକୁ ପ୍ରସ୍ତାବ ରଖାଯାଇଛି। ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଏ ସଂକ୍ରାନ୍ତ ବିଭିନ୍ନ ପ୍ରକ୍ରିୟା ଶେଷ କରିବା ନେଇ ଯୋଜନା ରଖାଯାଇଥିବା କୁମାର ସ୍ପଷ୍ଟ କରିଛନ୍ତି।
ପାସେଞ୍ଜର ପିଛା ରାଜସ୍ବ ମଡେଲରେ ଏହି ବିମାନବନ୍ଦରଗୁଡିକୁ ନିଲାମ କରାଯିବ। ପୂର୍ବରୁ ଗ୍ରେଟର ନୋଏଡାର ଜଓ୍ବୋର ଏୟାରପୋର୍ଟ ଏହିଭଳି ଭାବେ ନିଲାମ କରାଯାଇଛି। କୋଭିଡ୍‌ ସତ୍ତ୍ୱେ ମଧ୍ୟ ନିଲାମ ପ୍ରକ୍ରିୟା ସଫଳ ହୋଇଛି। ବର୍ତ୍ତମାନ କୋଭିଡ୍‌ ସ୍ଥିତିରେ ସୁଧାର ଆସିଥିବା ବେଳେ ପ୍ରସ୍ତାବିତ ବିମାନବନ୍ଦରଗୁଡିକୁ ମଧ୍ୟ ସଫଳ ଭାବେ ନିଲାମ କରିବାକୁ ଯୋଜନା ରଖାଯାଇଛି। ୫୦ ବର୍ଷ ଅବଧି ଲାଗି ଏହି ବିମାନବନ୍ଦରଗୁଡିକୁ ଘରୋଇ ହାତକୁ ସରକାର ଟେକିଦେବେ। ୭ କ୍ଷୁଦ୍ର ବିମାନ ବନ୍ଦର ସହ ୬ ପ୍ରମୁଖ ବିମାନ ବନ୍ଦରକୁ ଏହି ତାଲିକାରେ ସାମିଲ କରାଯାଇଛି। ବିମାନ ବନ୍ଦରଗୁଡ଼ିକ ମଧ୍ୟରେ ବାରାଣସୀ, କୁସିନଗର, ଗୟା, ଅମ୍ରିତସର, କଙ୍ଗ୍ରା, ଭୁବନେଶ୍ୱର, ତିରୁପତି, ରାୟପୁର, ଔରଙ୍ଗାବାଦ,ଇନ୍ଦୋର, ଜବଲପୁର, ତ୍ରିଚି ଏବଂ ହୁବୁଲି ରହିଛି।
ନ୍ୟାଶନାଲ ମନିଟାଇଜେଶନ ପାଇପଲାଇନ (ଏନ୍‌ଏମ୍‌ପି) ଅଧୀନରେ ସରକାର ଆସନ୍ତା ୪ ବର୍ଷରେ ୨୫ ବିମାନ ବନ୍ଦରକୁ ଘରୋଇକରଣ ଯୋଜନା ରଖିଛନ୍ତି। ଏହା ମଧ୍ୟରେ ବର୍ତ୍ତମାନର ପ୍ରସ୍ତାବିତ ୧୩ ବିମାନ ବନ୍ଦର ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଘରୋଇକରଣ ପ୍ରକ୍ରିୟାରେ ୨୦୧୯ରେ ୬ ବିମାନବନ୍ଦର ଆଦାନୀ ଗ୍ରୁପ୍‌କୁ ଦିଆଯାଇଛି। ୨୦୦୫-୦୬ରେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ବିମାନବନ୍ଦରକୁ ଘରୋଇକରଣ କରାଯାଇଥିଲା। ଉଦାରୀକରଣ ଦ୍ୱାରା ବିମାନବନ୍ଦରଗୁଡିକୁ ଲାଭବାନ କରାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଅନ୍ୟ ବିମାନ ବନ୍ଦର ଉନ୍ନତୀକରଣ ଦ୍ୱାରା ଘରୋଇକ୍ଷେତ୍ର ଲାଗି ସୁଯୋଗ ସୃଷ୍ଟି କରାଯିବ। କୋଭିଡ୍‌ ଯୋଗୁ ଏଏଆଇର କାରବାର ପ୍ରଭାବିତ ହୋଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଏହା ୧,୯୬୨ କୋଟି ଟଙ୍କା କ୍ଷତି ସହିଛି। ପରିଚାଳନା ପୁଞ୍ଜି ଭାବେ ଏହାର ଏସ୍‌ବିଆଇଠାରୁ ୧,୫୦୦ କୋଟି ଟଙ୍କା ଋଣ ଉଠାଇଛି। କୋଭିଡ୍‌ ସ୍ଥିତି ସୁଧୁରିବା ଯୋଗୁ ଏବେ ବିମାନ ଯାତ୍ରୀ ଟ୍ରାଫିକ ବଢ଼ିଛି। ଫଳରେ ଚଳିତ ବର୍ଷ ଏହା ଋଣ କରିନାହିଁ। ଅସୁବିଧା ସତ୍ତ୍ୱେ ଏଏଆଇ ୨,୧୦୦ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ କରିଛି। ଏହା ମଧ୍ୟରେ ୧ ହଜାର କୋଟି ଟଙ୍କା ଋଣ ଉଠାଣ ଦ୍ୱାରା କାର୍ଯ୍ୟ ସମ୍ପାଦନ ହୋଇଛି। ପୁଞ୍ଜି ଖର୍ଚ୍ଚ ଜାରି ରହିବ। ଆବଶ୍ୟକ ପଡିଲେ ଆଗାମୀ ଦିନରେ ମଧ୍ୟ ଋଣ ଉଠାଣ ନେଇ ବିଚାର କରାଯିବ ବୋଲି କୁମାର କହିଛନ୍ତି।

Share