ମାର୍ଚ୍ଚ ସୁଦ୍ଧା ୩ ଜିଲାକୁ ସମ୍ପ୍ରସାରଣ ହେବ ମୋବାଇଲ ଚକ୍ଷୁ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, ୩।୨(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ମଙ୍ଗଳବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ୨୦୨୦ ଡିସେମ୍ବର ସୁଦ୍ଧା ୨୦ଟି ମୋବାଇଲ୍‌ ଚକ୍ଷୁ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ ହୋଇଛି। ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଏହା ଅନୁଗୋଳ, ଜଗତ୍‌ସିଂହପୁର ଓ ନୟାଗଡ଼ ଜିଲାକୁ ସମ୍ପ୍ରସାରଣ ହେବ। ୨୦୨୧-୨୨ରେ ୭ଟି ଜିଲା ବାଲେଶ୍ୱର, ବୌଦ୍ଧ, କଟକ, ପୁରୀ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାରେ ମୋବାଇଲ୍‌ ଚକ୍ଷୁ ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ୨୦୧୮-୧୯ରେ ରାଜ୍ୟରେ ୫୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିର୍ଦ୍ଧାରିତ ଚକ୍ଷୁ ପରୀକ୍ଷା କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଛି। ସେହିପରି ୨୦୧୯-୨୦ରେ ୫୦ଟି ଏବଂ ୨୦୨୦-୨୧ରେ ୫୦ଟି ଚକ୍ଷୁ ପରୀକ୍ଷା କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଛି। ୨୦୨୧-୨୨ରେ ରାଜ୍ୟର ୧୨୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚକ୍ଷୁ ପରୀକ୍ଷା କେନ୍ଦ୍ର ନିର୍ମାଣ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ୫୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିବା ବେଳେ ୨୦୨୧ ସୁଦ୍ଧା ଅଧିକ ୧୨୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସମସ୍ତ ଯନ୍ତ୍ରପାତି ଯୋଗାଇ ଦିଆଯିବ। ଫଣ୍ଡ୍‌ସ କ୍ୟାମେରା ମାଧ୍ୟମରେ ସମସ୍ତ ଜିଲା ସଦର ମହକୁମା ହସ୍ପିଟାଲରେ ୨୦୧୯-୨୦ ସୁଦ୍ଧା ୩ ଲକ୍ଷରୁ ଊର୍ଦ୍ଧ୍ୱ, ୨୦୨୦-୨୧ରେ ୨ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ଚକ୍ଷୁ ପରୀକ୍ଷା ହୋଇଛି ବୋଲି ଆୟୋଜିତ ସମୀକ୍ଷା ବୈଠକରୁ ଜଣାପଡ଼ିଛି। ଏହି ବୈଠକରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ, ଡିଏମ୍‌ଇଟି ପ୍ରଫେସର ସି.ବି.କେ. ମହାନ୍ତି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଡ. ଅଜିତ ମହାନ୍ତି ଏବଂ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

Share