Categories: ଜାତୀୟ

କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ମାମଲାର ମିଡ଼ିଆ ରିପୋର୍ଟିଂକୁ ମନା ଦ୍ୱାରା ପୀଡ଼ିତାଙ୍କ ପ୍ରତି ହେବ ଅନ୍ୟାୟ…

ନୂଆଦିଲ୍ଳୀ, ୬।୧ : ମହିଳା କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରେ ନିର୍ଯାତନା ଦିଆଯାଉଥିବା ମାମଲାର ମିଡ଼ିଆ ରିପୋର୍ଟିଂ ଉପରେ ବମ୍ବେ ହାଇକୋର୍ଟ କଟକଣା ଜାରି କରିଥିଲେ। ଏହା ଦ୍ୱାରା ସମ୍ପୃକ୍ତ ପୀଡ଼ିତାଙ୍କ ପ୍ରତି ଅନ୍ୟାୟ ହେବା ସହିତ ମହିଳାଙ୍କ କଣ୍ଠରୋଧ ସ୍ଥିତି ସୃଷ୍ଟି ହେବ ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟରେ ହାଇକୋର୍ଟଙ୍କ କଟକଣା ବିରୋଧରେ ଏକ ପିଟିଶନ୍‌ ଦାଖଲ କରାଯାଇଛି।

ହାଇକୋର୍ଟଙ୍କ ବିବାଦୀୟ ଗାଇଡ୍‌ଲାଇନ୍ସ୍‌କୁ ପୀଡ଼ିତାଙ୍କ ପକ୍ଷରୁ ବିରୋଧ କରାଯାଇଛି। ବିଚାରପତି ଗୌତମ ପାଟିଲଙ୍କ ପକ୍ଷରୁ ଗତବର୍ଷ ଜାରି ହୋଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା ଯେ, କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଭଳି ସମସ୍ତ ମାମଲାର ଶୁଣାଣି ଅଧିନିୟମ ୨୦୧୩ ଅନ୍ତର୍ଗତ ବିଚାରପତିଙ୍କ ଉପସ୍ଥିତିରେ କ୍ୟାମେରା ସମ୍ମୁଖରେ ସମ୍ପନ୍ନ ହେବ।

ତେବେ ଏହାକୁ ହାଇକୋର୍ଟ ଓ୍ବେବସାଇଟ୍‌ରେ ଅପଲୋଡ୍‌ ଅବା ଖୋଲା ଅଦାଲତରେ ଶୁଣାଣି କରାଯିବା ଉପରେ ରୋକ ଲଗାଯାଇଥିଲା।

ଏହି ମାମଲାରେ କୌଣସି ପ୍ରତିପକ୍ଷଙ୍କୁ ମିଡ଼ିଆ ସମ୍ମୁଖରେ ମନ୍ତବ୍ୟ ଦେବାକୁ ଅନୁମତି ପ୍ରଦାନ କରାଯାଇ ନ ଥିଲା। ଏହାର ଉଲ୍ଲଂଘନ କଲେ କୋର୍ଟ ଦ୍ୱାରା ଜାରି ହୋଇଥିବା ଗାଇଡ୍‌ ଲାଇନ୍ସ୍‌ ଅବମାନନା ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା। ହାଇକୋର୍ଟ କହିଥିଲେ ଯେ, ଏଭଳି ମାମଲାରେ ସମସ୍ତ ପକ୍ଷଙ୍କର ପରିଚୟ ଗୁପ୍ତ ରଖିବା ଦିଶାନିର୍ଦ୍ଦେଶର ଆବଶ୍ୟକତା ରହିଛି।

ହାଇକୋର୍ଟଙ୍କ ଏଭଳି ଗାଇଡ୍‌ ଲାଇନ୍ସ୍‌କୁ ବିରୋଧ କରି ପୀଡ଼ିତା ଆଇନଜୀବୀ ଆଭା ସିଂଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

Share