୨୦୨୧ ଶେଷ ସୁଦ୍ଧା ପୃଥିବୀରେ ଶତାୟୁଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁବ

ଜେନେଭା,୨।୩: ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ବିଜ୍ଞାନର ବିକାଶ ଯୋଗୁ ଏବେ ପୃଥିବୀରେ ଶତାୟୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ୧୦୦ ଅବା ୧୦୦ରୁ ଅଧିକ ବର୍ଷ ଜୀବିତ ରହିବା ସହଜ ହୋଇପାରୁଛି। ବିକଶିତ ଏବଂ ବିକାଶଶୀଳ ଦେଶରେ ଶତାୟୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚଳିତ ୨୦୨୧ ବର୍ଷ ଶେଷସୁଦ୍ଧା ପୃଥିବୀରେ ଶତାୟୁଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁବ। ଏବେ ପୃଥିବୀରେ ୫ ଲକ୍ଷ ୭୩ ହଜାର ୪୨୩ ଜଣ ଶତାୟୁ ରହିଛନ୍ତି। ସେଥିମଧ୍ୟରୁ ଆମେରିକାରେ ଶତାୟୁଙ୍କ ସଂଖ୍ୟା ସର୍ବାଧିକ ଅର୍ଥାତ୍‌ ୯୭ ହଜାର ରହିଛି। ଆମେରିକା ତଳକୁ ଏହି ତାଲିକାରେ ଜାପାନ ଦ୍ୱିତୀୟ ସ୍ଥାନରେ ଅଛି। ଜାପାନରେ ଶତାୟୁଙ୍କ ସଂଖ୍ୟା ୭୯ ହଜାରରେ ପହଞ୍ଚିଛି। ୧୯୫୦ରେ ପୃଥିବୀରେ ୩୩ ହଜାର ୮୯୯ ଜଣ ଶତାୟୁ ଥିଲେ। ୧୯୬୨ ବେଳକୁ ଶତାୟୁଙ୍କ ସଂଖ୍ୟା କମି ୨୦ ହଜାର ୧୧୯ରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ଚିକିତ୍ସା ବିଜ୍ଞାନରେ ବିକାଶ ଯୋଗୁ ଏହି ସଂଖ୍ୟା ବଢ଼ିବାରେ ଲାଗିଥିଲା। ୧୯୯୦ରୁ ୨୦୧୫ ମଧ୍ୟରେ ଶତାୟୁଙ୍କ ସଂଖ୍ୟା ୪ ଗୁଣା ବୃଦ୍ଧି ପାଇଥିଲା। ୧୯୯୦ରେ ଏହି ସଂଖ୍ୟା ୯୫ ହଜାର ଥିବାବେଳେ ୨୦୧୫ରେ ଏହା ୪ ଲକ୍ଷ ୫୧ ହଜାର ଛୁଇଁଥିଲା। ୨୦୫୦ ବେଳକୁ ପୃଥିବୀରେ ଶତାୟୁଙ୍କ ସଂଖ୍ୟା ୩୬ ଲକ୍ଷ ୭୬ ହଜାରରେ ପହଞ୍ଚିବ। ସେତେବେଳେ ଚାଇନାରେ ସର୍ବାଧିକ ଶତାୟୁ ରହିବେ। ଶତାୟୁ ବାସ କରୁଥିବା ପୃଥିବୀର ୫ ଶୀର୍ଷ ଦେଶରେ ଚାଇନା, ଜାପାନ, ଆମେରିକା, ଇଟାଲୀ ଏବଂ ଭାରତ ରହିବେ। ଭାରତ ତାଲିକାର ୫ମ ସ୍ଥାନରେ ରହିବ। ଚାଇନାରେ ଶତାୟୁଙ୍କ ସଂଖ୍ୟା ୬ ଲକ୍ଷ ୨୦ ହଜାରରେ ପହଞ୍ଚିବ। ଅପରପକ୍ଷରେ ଭାରତରେ ୨ ଲକ୍ଷ ୭ ହଜାର ଶତାୟୁ ବାସ କରୁଥିବେ ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୫ରେ ଭାରତରେ ଶତାୟୁଙ୍କ ସଂଖ୍ୟା ୨୭ ହଜାରରେ ପହଞ୍ଚିଥିଲା। ମାତ୍ର ଏହି ସଂଖ୍ୟା ଏବେ ବଢ଼ିବାରେ ଲାଗିଛି।

Share