Categories: ଖେଳ

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୭୯/୯

ଓ୍ବେଲିଂଟନ(ନ୍ୟୁଜିଲାଣ୍ଡ),୨୯ା୨: ବେସି ରିଜର୍ଭଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ କାମେରନ ଗ୍ରୀନ୍‌ (୧୦୩*)ଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୯ ଉଇକେଟ ବିନିମୟରେ ୨୭୯ରନ୍‌ କରିଛି।

ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦଳ ଭଲ ଆରମ୍ଭ କରିଥିଲା। ଓପନିଂ ଯୋଡ଼ି ଷ୍ଟିଭ୍‌ ସ୍ମିଥ ଓ ଉସ୍‌ମାନ ଖ୍ବାଜା ଅନାୟାସରେ ବ୍ୟାଟିଂ କରୁଥିଲେ। ଦଳ ଏକ ବଡ଼ ସ୍କୋର ଛିଡ଼ା କରିବ ବୋଲି ଆଶା କରାଯାଉଥିଲା। ମାତ୍ର ୨୪ ଓଭର ପରେ ନ୍ୟୁଜିଲାଣ୍ଡର ଭାଗ୍ୟ ବଦଳିଥିଲା। ମଧ୍ୟାହ୍ନ ବିରତିର ୧୦ ମିନିଟ ପୂର୍ବରୁ ମ୍ୟାଟ ହେନ୍‌ରୀ ପ୍ରଥମ ଉଇକେଟ ଯୋଡ଼ିକୁ ଭାଙ୍ଗି ଦେଇଥିଲେ।

ମ୍ୟାଟ ହେନ୍‌ରୀଙ୍କ ବଲ୍‌ରେ ଟମ୍‌ ବ୍ଲଣ୍ଡେଲଙ୍କ ଦ୍ୱାରା ସ୍ମିଥ୍‌ (୩୧) କ୍ୟାଚ ଆଉଟ ହୋଇଯାଇଥିଲେ। ତାଙ୍କ ସ୍ଥାନରେ ଯୋଗ ଦେଇଥିବା ମାର୍ନସ ଲବୁସେନ (୧) ମଧ୍ୟାହ୍ନଭୋଜନ ପରେ ଖେଳ ଆରମ୍ଭ ହେବାର ଅଳ୍ପ ସମୟ ମଧ୍ୟରେ ଆଉଟ ହୋଇଯାଇଥିଲେ। ତାଙ୍କ ପଛକୁ ପଛ ଖ୍ବାଜା ଓ ଟ୍ରାଭିସ ହେଡ୍‌ (୧) ଶୀଘ୍ର ପ୍ୟାଭିଲିଅନ ଫେରିଥିଲେ। ଫଳରେ ଏକଦା ୬୧/୦ ସ୍କୋରରେ ଥିବା ଅଷ୍ଟ୍ରେଲିଆର ସ୍କୋର ୮୯/୪ରେ ପହଞ୍ଚି ଯାଇଥିଲା। ମିଚେଲ ମାର୍ଶ ଓ ଗ୍ରୀନ୍‌ ଆକ୍ରମଣାତ୍ମକ ଖେଳି ୫ମ ଉଇକେଟରେ ୬୭ ରନ୍‌ ଯୋଗ କରିଥିଲେ। ହେନ୍‌ରୀଙ୍କ ବଲ୍‌ରେ ଶିକାର ହେବା ପୂର୍ବରୁ ମାର୍ଶ ୬ ଚୌକା ଓ ଗୋଟିଏ ଛକା ସହ ୩୯ ବଲ୍‌ରୁ ୪୦ ରନ କରିଥିଲେ। ଗ୍ରୀନ୍‌ କିନ୍ତୁ ଦିନ ସାରା କ୍ରିଜ୍‌ରେ ମହଜୁଦ ରହିଥିଲେ ା ସେ ୧୫୪ ବଲ୍‌ରୁ ତାଙ୍କ ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ପ୍ରଥମ ଦିନ ଖେଳ ଶେଷ ହେବାକୁ ଆଉ ଗୋଟିଏ ବଲ୍‌ ବାକିଥିବା ବେଳେ ସେ ତାଙ୍କ ଶତକ ପୂରଣ କରିଥିଲେ। ସେ ୧୦୩ ରନ କରି ଅପରାଜିତ ରହିଥିଲେ। ତାଙ୍କ ଜୋସ୍‌ ହାଜେଲଉଡ ବିନା କୌଣସି ରନରେ କ୍ରିଜ୍‌ରେ ରହିଛନ୍ତି।

Share