ପ୍ଲାଷ୍ଟିକ୍‌କୁ ବାଏ ବାଏ

ଡ. ଜୟକୃଷ୍ଣ ପାଣିଗ୍ରାହୀ

 

ପ୍ଲାଷ୍ଟିକ୍‌ର ବ୍ୟାପକ ତଥା ଅନିୟନ୍ତ୍ରିତ ବ୍ୟବହାର ସମଗ୍ର ଗ୍ରହକୁ ନକାରାତ୍ମକ ଭାବେ ପ୍ରଭାବିତ କରିଚାଲିଛି। ପୃଥିବୀର କୋଣାନୁକୋଣକୁ ଏସବୁ ପ୍ରଦୂଷିତ କରୁଛି।
ଚତୁର୍ଦ୍ଦିଗରେ ଦୃଶ୍ୟମାନ ହେଉଥିବା ପରିତ୍ୟକ୍ତ ପଲିଥିନ ବ୍ୟାଗ୍‌, ପାଣି ବୋତଲ ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ପଦାର୍ଥ ପରିବେଶରେ ବ୍ୟାପକ ପ୍ରଦୂଷଣ ଘଟାଉଛି। ପ୍ଲାଷ୍ଟିକ୍‌ ଅଣୁଜୀବମାନଙ୍କ ଦ୍ୱାରା ବିଘଟିତ ହୁଏ ନାହିଁ ଏବଂ ଦୀର୍ଘ ସମୟ ଧରି ପରିବେଶରେ ଗଚ୍ଛିତ ରହେ। ବିଶ୍ୱରେ ବାର୍ଷିକ ପଚାଶ ହଜାର କୋଟିରୁ ଅଧିକ ସଂଖ୍ୟାରେ ପଲିଥିନ ବ୍ୟାଗ୍‌ ବ୍ୟବହୃତ ହେଉଛି, ଯାହା ପ୍ରାୟତଃ ଥରେ ମାତ୍ର ବ୍ୟବହାର ପରେ ପରିବେଶରୁ ବର୍ଜିତ ହୋଇଥାଏ। ପ୍ରତି ମିନିଟରେ ସମ୍ପ୍ରତି ଏକ ନିୟୁତ ପ୍ଲାଷ୍ଟିକ୍‌ ବୋତଲ ବିକ୍ରି ହେଉଛି। ସମଗ୍ର ଗ୍ରହରେ ଏବେ ବର୍ଷକୁ ୪୩୦ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ଉତ୍ପାଦିତ ହେଉଛି; ଏହାର ଦୁଇ ତୃତୀୟାଂଶ ଉତ୍ପାଦ ସ୍ବଳ୍ପକାଳ ପାଇଁ ବ୍ୟବହାରରେ ରହେ ବା ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌, ଯାହା ଖୁବ୍‌ଶୀଘ୍ର ବର୍ଜ୍ୟ ପଦାର୍ଥ ରୂପେ ପରିବେଶକୁ ନିଷ୍କାସିତ ହୁଏ।
ବୈଜ୍ଞାନିକ ଗବେଷଣା ଦର୍ଶାଏ ଯେ, ସ୍ଥଳୀୟ ଓ ଜଳୀୟ ପରିସଂସ୍ଥାରେ ବିଭିନ୍ନ ଚାପର ବଶବର୍ତ୍ତୀ ହୋଇ ବର୍ଜିତ ପ୍ଲାଷ୍ଟିକ୍‌ରୁ ୫ ମିମିରୁ କ୍ଷୁଦ୍ର ଆକାରର ମାଇକ୍ରୋପ୍ଲାଷ୍ଟିକ୍‌ ଖଣ୍ଡମାନ ଏବଂ ସେହିପରି କ୍ଷୁଦ୍ରାତିକ୍ଷୁଦ୍ର ନାନୋପ୍ଲାଷ୍ଟିକ୍‌ ମଧ୍ୟ ସୃଷ୍ଟି ହୁଏ, ଯାହା ନିଃଶ୍ୱାସ, ପାନୀୟ ଏବଂ ଖାଦ୍ୟ ମାଧ୍ୟମରେ ଆମ ଅଗୋଚରରେ ଶରୀରରେ ପ୍ରବେଶ କରନ୍ତି। ପ୍ଲାଷ୍ଟିକ୍‌ ପ୍ରସ୍ତୁତିରେ ବ୍ୟବହୃତ ବେଞ୍ଜିନ ଓ ବିସ୍ଫେନଲ- ଏପରି ବିଷାକ୍ତ ପଦାର୍ଥ ତଥା ମାଇକ୍ରୋପ୍ଲାଷ୍ଟିକ୍‌ ଓ ନାନୋପ୍ଲାଷ୍ଟିକ୍‌ ଜୀବମାନଙ୍କ ଶରୀରକୁ ପ୍ରବେଶ କରି କ୍ୟାନ୍‌ସର୍‌, ହର୍ମୋନ୍‌ଜନିତ ବିଘ୍ନ, ଜନ୍ମଗତ ତ୍ରୁଟି, ରୋଗ ପ୍ରତିରୋଧକ ଶକ୍ତିରେ ବ୍ୟାଘାତ ଏବଂ ଅନ୍ୟାନ୍ୟ ବିବିଧ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟିର କାରଣ ହୁଅନ୍ତି। ପ୍ଲାଷ୍ଟିକ୍‌ କଣିକା ମଣିଷଙ୍କ ରକ୍ତରେ ଓ କୋଷମାନଙ୍କରେ ଉପଲବ୍ଧ ହେଉଛି ଏବଂ ମାତୃ କ୍ଷୀରରେ ଏହାର ଉପସ୍ଥିତିକୁ ନିକଟରେ ଏକ ଗବେଷଣାଲବ୍ଧ ତଥ୍ୟ ନିଶ୍ଚିତ କରିଛି। ୨୦୨୧ର ଏକ ଅଧ୍ୟୟନ ଅନୁଯାୟୀ, ପ୍ରସ୍ତୁତ ଖାଦ୍ୟ ଏବଂ ପାନୀୟର ବହନ ନିମନ୍ତେ ବ୍ୟବହୃତ ପ୍ଲାଷ୍ଟିକ୍‌ ସାମଗ୍ରୀ ସମ୍ପ୍ରତି ବିଶ୍ୱ ସମୁଦ୍ରମାନଙ୍କରେ ଥିବା ଆବର୍ଜନାର ଏକ ପ୍ରମୁଖ ଅଂଶ ପାଲଟିଛି।
ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ର ରିପୋର୍ଟ ପ୍ରକାଶ କରିଛି ଯେ, ୨୦୪୦ ସୁଦ୍ଧା ବିଶ୍ୱ ପ୍ଲାଷ୍ଟିକ୍‌ ପ୍ରଦୂଷଣରେ ୮୦% ହ୍ରାସ ଘଟାଇବା ସମ୍ଭବ ହେବ। କିନ୍ତୁ ଏଥିନିମନ୍ତେ କେତେକ ପ୍ରମୁଖ ପରିବର୍ତ୍ତନର ଆବଶ୍ୟକତା ରହିଛି, ଯାହା ସବୁ ବ୍ୟାବହାରିକ ଏବଂ ସୁଲଭ ପ୍ରକ୍ରିୟା ଦ୍ୱାରା ସମ୍ଭବ ହୋଇପାରିବ। ରିପୋର୍ଟ ଅନୁଯାୟୀ, ପ୍ରଥମ ପଦକ୍ଷେପ ହେଉଛି ଅତ୍ୟଧିକ ଆବୃତ କରିବା (ପ୍ୟାକେଜିଂ) ପରି ଅନାବଶ୍ୟକ ପ୍ଲାଷ୍ଟିକ୍‌ ବ୍ୟବହାରକୁ ଦୂର କରିବା। ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ହେଉଛି ପ୍ଲାଷ୍ଟିକର ପୁନଃ ବ୍ୟବହାରକୁ ପ୍ରୋତ୍ସାହିତ କରିବା (ଯେପରିକି ରିଫିଲଯୋଗ୍ୟ ବୋତଲ), ପୁନଃଚକ୍ରଣରେ ବୃଦ୍ଧି ଘଟାଇବା ଏବଂ ପ୍ଲାଷ୍ଟିକ୍‌ ବଦଳରେ ସବୁଜ ବା ପରିବେଶଧର୍ମୀ ବିକଳ୍ପର ବ୍ୟବହାରକୁ ପ୍ରସାରିତ କରିବା। ୟୁଏନ୍‌ଇପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଙ୍ଗର୍‌ ଆଣ୍ଡରସେନ ବ୍ୟକ୍ତ କରିଛନ୍ତି ଯେ ପ୍ଲାଷ୍ଟିକ୍‌ ଉତ୍ପାଦନ, ବ୍ୟବହାର ଏବଂ ବିସର୍ଜନ ପ୍ରକ୍ରିୟା ପରିସଂସ୍ଥାକୁ ପ୍ରଦୂଷିତ କରୁଛି, ମାନବ ସ୍ବାସ୍ଥ୍ୟ ନିମନ୍ତେ ବିପଦ ସୃଷ୍ଟି କରୁଛି ଏବଂ ଜଳବାୟୁ ପରିବର୍ତ୍ତନରେ ସହାୟକ ହେଉଛି। ତେବେ ଉପଯୁକ୍ତ ସରକାରୀ ନୀତି ଏବଂ ପ୍ଲାଷ୍ଟିକ୍‌ ଶିଳ୍ପରେ ସଂଘଟିତ ପରିବର୍ତ୍ତନର ପ୍ରଭାବରେ ୨୦୪୦ ବେଳକୁ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବାର୍ଷିକ ପ୍ରାୟ ୪୦ ନିୟୁତ ଟନ୍‌ ହ୍ରାସ ପାଇଯିବ; ଅନ୍ୟଥା, ଏସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଅନୁପସ୍ଥିତିରେ ଏହା ୨୨୭ ନିୟୁତ ଟନ୍‌ରେ ପହଞ୍ଚତ୍ୟିବ। ଏହି ରିପୋର୍ଟ ପ୍ରକାଶ କରିଛି ଯେ, ଏପରି ସକାରାତ୍ମକ ପରିବର୍ତ୍ତନ ପ୍ଲାଷ୍ଟିକ ଦ୍ୱାରା ସ୍ବାସ୍ଥ୍ୟ, ଜଳବାୟୁ ଏବଂ ପରିବେଶରେ ଘଟୁଥିବା କ୍ଷତିକୁ ହ୍ରାସ କରି ବର୍ତ୍ତମାନ ଏବଂ ୨୦୪୦ ମଧ୍ୟରେ ତିନି ଟ୍ରିଲିୟନ ଡଲାର ମୂଲ୍ୟର ହିତ ସାଧନ କରିବ। ଏଥିରେ ବିଭିନ୍ନ ଅର୍ଥନୈତିକ ଏବଂ ବ୍ୟବସାୟିକ ମଡେଲ ସବୁକୁ ପରୀକ୍ଷା କରାଯାଇଛି, ଯାହା ବିଶ୍ୱରେ ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ପ୍ରତିହତ କରିବା, ଏକ ବୃତ୍ତାକାର ଅର୍ଥନୀତି ସୃଷ୍ଟି କରିବା ଏବଂ ପ୍ଲାଷ୍ଟିକ୍‌ ଅର୍ଥନୀତିର ନକାରାତ୍ମକ ପ୍ରଭାବକୁ ସମାଧାନ କରିବାରେ ସହାୟକ ହେବ।
ପ୍ଲାଷ୍ଟିକ୍‌ ପ୍ରଦୂଷଣଜନିତ କାରଣଗୁଡ଼ିକର ସମାଧାନ ନିମନ୍ତେ ଏକ ପଦ୍ଧତିଗତ ପରିବର୍ତ୍ତନର ଆବଶ୍ୟକତା ରହିଛି, ଯାହା ସମସ୍ୟା ସୃଷ୍ଟିକାରୀ ଏବଂ ଅନାବଶ୍ୟକ ପ୍ଲାଷ୍ଟିକ୍‌ ବ୍ୟବହାରକୁ ହ୍ରାସ କରିବା ଦିଗରେ ପ୍ରୟାସ ଅବ୍ୟାହତ ରଖିବ। ତିନୋଟି ମୁଖ୍ୟ ପରିବର୍ତ୍ତନକୁ ତ୍ୱରାନ୍ବିିତ କରି ଏହା ହାସଲ କରାଯାଇ ପାରିବ- ପ୍ଲାଷ୍ଟିକ୍‌ ପୁନଃ ବ୍ୟବହାର ଓ ପୁନଃଚକ୍ରଣ, ନୂତନ ଦୃଷ୍ଟିଭଙ୍ଗୀରେ ସମସ୍ୟାର ବିଚାର ଏବଂ ବିବିଧ ବିକଳ୍ପର ଅନୁସନ୍ଧାନ। ଏହା ସହିତ ଗ୍ରହରେ ପୂର୍ବରୁ ଗଚ୍ଛିତ ବିଶାଳ ପରିମାଣର ବର୍ଜିତ ପ୍ଲାଷ୍ଟିକ୍‌ ନିଷ୍କାସନ ନିମନ୍ତେ ପଦକ୍ଷେପ ଅପରିହାର୍ଯ୍ୟ। ତେବେ ବିଶ୍ୱସ୍ତରରେ ପ୍ଲାଷ୍ଟିକ୍‌ ବ୍ୟବହାର କମାଇବା ଏବଂ ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ଶେଷ କରିବାକୁ ମାର୍ଚ୍ଚ ୨୦୨୨ ସୁଦ୍ଧା ୧୯୩ଟି ରାଷ୍ଟ୍ର ସମ୍ମତି ପ୍ରଦାନ କରିଛନ୍ତି ଏବଂ ୟୁଏନ୍‌ଇପି ଆନୁକୂଲ୍ୟରେ ୨୦୨୪ ସୁଦ୍ଧା ଏକ ଆଇନ ଆଧାରିତ, ବାଧ୍ୟତାମୂଳକ ଚୁକ୍ତିନାମା କାର୍ଯ୍ୟକାରୀ ହେବା ନିମନ୍ତେ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନର ଧାରା ଅବ୍ୟାହତ ରହିଲେ ୨୦୬୦ ସୁଦ୍ଧା ପ୍ଲାଷ୍ଟିକ୍‌ ଉତ୍ପାଦନ ତ୍ରିଗୁଣିତ ହୋଇଯିବ। ଏପରି ପୃଷ୍ଠଭୂମିରେ ଏକ ବୃତ୍ତାକାର (ସର୍କୁଲାର୍‌) ପଦ୍ଧତିର ଅବଲମ୍ବନ କରି ପ୍ଲାଷ୍ଟିକ୍‌ର ପୁନଃ ବ୍ୟବହାର ଓ ପୁନଃଚକ୍ରଣ ମାଧ୍ୟମରେ ଏହି ବିପଦକୁ ନାଟକୀୟ ଭାବରେ ନିୟନ୍ତ୍ରଣ କରାଯାଇପାରିବ, ଯଦ୍ଦ୍ବାରା ୨୦୪୦ ସୁଦ୍ଧା ପ୍ଲାଷ୍ଟିକ୍‌ ପ୍ରଦୂଷଣରେ ୩୦% ହ୍ରାସ ଘଟାଇବା ସମ୍ଭବପର ହେବ। ଏହା ପ୍ଲାଷ୍ଟିକ୍‌କୁ ପ୍ରାକୃତିକ ପରିସଂସ୍ଥା, ଆମ ଶରୀର ତଥା ଅର୍ଥନୀତିରୁ ଦୂରରେ ରଖି ପ୍ରଦୂଷଣର ପ୍ରଭାବକୁ ପ୍ରତିହତ କରିବ ଏବଂ ଅର୍ଥ ମଧ୍ୟ ସଞ୍ଚତ୍ତ ହେବ। ଅନ୍ୟପକ୍ଷରେ ପ୍ରଚଳିତ ପ୍ଲାଷ୍ଟିକ୍‌ ବିକଳ୍ପ ରୂପେ ଉଦ୍ଭିଦ ଓ ପ୍ରାଣୀ ଉତ୍ସରୁ ପ୍ରସ୍ତୁତ ବିଘଟନକ୍ଷମ ଜୈବପ୍ଲାଷ୍ଟିକ ଅଧିକ ପ୍ରସାରିତ ହେବା ସହ ଏସବୁ କ୍ଷେତ୍ରରେ ଯଥେଷ୍ଟ ନୂତନ କର୍ମନିଯୁକ୍ତି ସୃଷ୍ଟି ହେବ। ନୂତନ ଭାବେ ପ୍ରସ୍ତୁତ ସଂଶ୍ଳେଷିତ ପ୍ଲାଷ୍ଟିକ୍‌ ଉପରେ ଟ୍ୟାକ୍ସ ବୃଦ୍ଧି କରିବା ଏବଂ ଏଥିନିମନ୍ତେ ବ୍ୟବହୃତ ଜୀବାଶ୍ମ ଇନ୍ଧନ (ପେଟ୍ରୋଲିଅମ) ଉପରେ ରିହାତି ହଟାଇବା ନୀତି ପ୍ରୟୋଗ ଦ୍ୱାରା ନୂତନ ପ୍ଲାଷ୍ଟିକ୍‌ ଉତ୍ପାଦନ ତୁଳନାରେ ପୁନଃ ବ୍ୟବହାରକୁ ଅର୍ଥନୈତିକ ଦୃଷ୍ଟିରୁ ଅଧିକ ଆକର୍ଷଣୀୟ କରି ଏହାକୁ ପ୍ରୋତ୍ସାହିତ କରାଯାଇପାରିବ।
ଏବେ ସମୟ ଉପନୀତ ହୋଇଛି ଯେତେବେଳେ ବର୍ଜ୍ୟ ପଦାର୍ଥକୁ ସମ୍ପଦରେ ପରିଣତ କରିବା ଏବଂ ‘ବର୍ଜ୍ୟ ସୃଷ୍ଟିକାରୀ ଅର୍ଥନୀତି’କୁ ପରିବର୍ତ୍ତିତ କରି ଏକ ପୁନଃ ‘ବ୍ୟବହାରକାରୀ ସମାଜ’ ଗଠନ କରିବା, ଯାହା ପ୍ଲାଷ୍ଟିକ୍‌ ସହ ଅନ୍ୟାନ୍ୟ ପ୍ରଦୂଷଣରେ ହ୍ରାସ ଘଟାଇବା ସହ ସମ୍ବଳ ସଂରକ୍ଷଣରେ ସହାୟକ ହେବ। ଜାତିସଂଘ ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦ ବର୍ଷ ମଧ୍ୟରେ ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ୮୦% ହ୍ରାସ କରାଯିବା ଦ୍ୱାରା ପ୍ରତିବର୍ଷ ଅଙ୍ଗାରକାମ୍ଳ ନିର୍ଗମନରେ ମଧ୍ୟ ୫୦୦ ନିୟୁତ ଟନ୍‌ ହ୍ରାସ ଘଟିବ, ଯାହା ବିଶ୍ୱ ତାପମାତ୍ରା ବୃଦ୍ଧି ରୋକିବାରେ ସହାୟକ ହେବ। ଏପରି ପରିବର୍ତ୍ତନ ୨୦୪୦ ସୁଦ୍ଧା ୭ ଲକ୍ଷ କର୍ମ ନିଯୁକ୍ତି ବୃଦ୍ଧିର କାରଣ ହେବ, ଯାହା ମୁଖ୍ୟତଃ ସ୍ବଳ୍ପ ଆୟକାରୀ ରାଷ୍ଟ୍ରମାନଙ୍କରେ ଘଟିବ। ଏହା ସତ୍ୟର ଅପଳାପ ଯେ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିହେବ, କାରଣ ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହା ଦୀର୍ଘ ସମୟ ନିମନ୍ତେ ବ୍ୟବହୃତ ହେଉଛି। କିନ୍ତୁ ମୁଖ୍ୟ ଶତ୍ରୁ ହେଉଛି ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌, ଯାହାର ବ୍ୟବହାରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷିଦ୍ଧ କରିଥିଲେ ସୁଦ୍ଧା ଏହା ପୂର୍ବବତ୍‌ ଚାଲୁରହିଛି। ଏସବୁକୁ ଯେତେ ପରିମାଣରେ ସମ୍ଭବ ସଙ୍କୁଚିତ କରିବା ଏବଂ ପ୍ଲାଷ୍ଟିକ୍‌ ପୁନଃ ବ୍ୟବହାର ଓ ପୁନଃ ଚକ୍ରଣରେ ଶତ ପ୍ରତିଶତ ସାଫଲ୍ୟ ଅର୍ଜନ ନିମନ୍ତେ ପ୍ରୟାସ ହେବା ବାଞ୍ଛନୀୟ। ଆଜି ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜାତିସଙ୍ଘ ମନୋନୀତ ବିଷୟବସ୍ତୁ ‘ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ପ୍ରତିହତ କର’କୁ ଗ୍ରହଣ କରି ପ୍ଲାଷ୍ଟିକ୍‌ର ଅନାବଶ୍ୟକ ବ୍ୟବହାରକୁ ନିଷିଦ୍ଧ କରିବା ଆମ ବିଜ୍ଞତାର ପରିଚାୟକ ହେବ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri