Categories: ଖେଳ

ସି.କେ. ନାଇଡୁ ଟ୍ରଫି: ଝାଡ଼ଖଣ୍ଡ ୯ ଉଇକେଟରେ ବିଜୟୀ

ସମ୍ବଲପୁର,୧୮ା୧(ବି.ଶଙ୍କର): ଓଡ଼ିଶା ଓ ଝାଡ଼ଖଣ୍ଡ ଦଳ ମଧ୍ୟରେ ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫି କିକେଟ ମ୍ୟାଚ୍‌ରେ ଓଡ଼ିଶାକୁ ୯ ଉଇକେଟରେ ହରାଇଛି ଝାଡ଼ଖଣ୍ଡ। ଚତୁର୍ଥ ତଥା ଅନ୍ତିମ ଦିନରେ ଝାଡ଼ଖଣ୍ଡ ଦଳକୁ ମାତ୍ର ୪୨ ରନର ଆବଶ୍ୟକତା ଥିଲା। ଦଳ ୮.୨ ଓଭରରେ ୧ ଉଇକେଟ ହରାଇ ୪୬ରନ ସଂଗ୍ରହକରି ବିଜୟୀ ହୋଇଥିଲା। ଏହି ଦଳର ରବିନ ମିଞ୍ଜ ୨୩ ବଲରେ ୨୭ ରନ୍‌ କରି ପାଭିଲିୟନ ଫେରିଥିଲେ। ଏଥିରେ ୧ ଚୌକା ଓ ୩ ଛକା ରହିଛି। ଅନ୍ୟ ବ୍ୟାଟ୍ସମ୍ୟାନ ଶିଖିର ମୋହନ ୧୩ ଓ ସତ୍ୟା ସେଟୁ ୬ରନ କରି ଅପରାଜିତ ଥିଲେ। ଓଡ଼ିଶାର ରିତେଶ ପ୍ରିୟରଞ୍ଜନ ୧.୨ ଓଭର ବୋଲିଂ କରି ୫ରନ ବିନିମୟରେ ୧ ଉଇକେଟ ଅକ୍ତିଆର କରିଥିଲେ। ଫଜିଲ ମହମ୍ମଦ ମ୍ୟାଚ ରେଫରି ରହିଥିବା ବେଳେ ତାମିଲନାଡୁର ରାକେଶ ରାଘବନ ଓ ରାୟପୁରର ବିକାଶ ଭଟ୍ଟ ଅମ୍ପାୟରିଂ କରିଥିଲେ। ସୂଚନାଯୋଗ୍ୟ, ଗତ ୧୪ ତାରିଖରୁ ମ୍ୟାଚ ଆରମ୍ଭ ହୋଇଥିଲା। ଓଡ଼ିଶା ଦଳ ପ୍ରଥମ ଇନିଂସରେ ସମସ୍ତ ଉଇକେଟ ହରାଇ ମାତ୍ର ୧୬୮ ରନ କରିଥିଲା ା ସେହିପରି ଝାଡ଼ଖଣ୍ଡ ଦଳ ୧୦୮.୨ ଓଭରରେ ୩ ଉଇକେଟ ହରାଇ ୪୮୭ ରନ କରି ପାଳି ଘୋଷଣା କରିଥିଲା। ଓଡ଼ିଶା ଦଳ ଦ୍ୱିତୀୟ ପାଳି ବ୍ୟାଟିଂକରି ୧୧୮.୪ ଓଭରରେ ସମସ୍ତ ଉଇକେଟ ହରାଇ ୩୬୧ ରନ କରିଥିଲା। ଆୟୋଜକ ସମ୍ବଲପୁର ଜିଲା କ୍ରୀଡ଼ା ସଂଘ ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ପରିଚାଳନାରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ହୋଇଥିଲା। ହିଣ୍ଡାଲ୍‌କୋ ସିଏସ୍‌ଆର୍‌ ମୁଖ୍ୟ ବିଘ୍ନେଶ୍ୱର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲା କ୍ରୀଡ଼ା ସଂଘ ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ଅତିଥିଙ୍କୁ ସ୍ବାଗତ କରିଥିବାବେଳେ କ୍ରିକେଟ ସମ୍ପାଦକ ଅବିନାଶ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଆଥ୍‌ଲେଟିକ ସମ୍ପାଦକ ବିକାଶ କୁମାର ମିଶ୍ର, ଫୁଟ୍‌ବଲ ସମ୍ପାଦକ ଅବଦୁଲ ଗଫାର, ଖେଳ ସମ୍ପାଦକ ରାଜେଶ ସେଠ, କାଉନସିଲ ସଭ୍ୟ ପଦ୍ମନାଭ ନାଏକ, ରତିକାନ୍ତ ମହାନ୍ତି, ଲକ୍ଷ୍ମୀଚନ୍ଦ୍ର ମହାକୁର, ଶାନ୍ତନୁ ନନ୍ଦ, ମହମ୍ମଦ ଇସାକ, ମନୋଜ ଭୋଇ ପ୍ରମୁଖ ମ୍ୟାଚ୍‌ ପରିଚାଳନାରେ ସହଯୋଗ କରିଥିଲେ।

 

Share