ନୂଆଦିଲ୍ଲୀ,୨୭।୪: ନାଗରିକତ୍ୱ (ସଂଶୋଧନ) ଆଇନ (ସିଏଏ) ଏକ ସୀମିତ ତଥା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ଲାଗି ଉଦ୍ଦିଷ୍ଟ ଆଇନ। ଏହା ଏକ ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ଦେଶରୁ ଆସିଥିବା ନିର୍ଦ୍ଧାରିତ ସମ୍ପ୍ରଦାୟଙ୍କ କୋହଳ ପ୍ରଦାନ ଲାଗି ଉଦ୍ଦିଷ୍ଟ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରେ କୁହାଯାଇଛି। ୨୦୧୯ରେ ଏହି ଆଇନ ପ୍ରଣୟନ ହୋଇଥିଲେ ହେଁ ବିଭିନ୍ନ ରାଜ୍ୟରେ ବିରୋଧ ଯୋଗୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ବିଭିନ୍ନ ସ୍ଥାନରେ ସିଏଏ ବିରୋଧୀ ଆନ୍ଦୋଳନରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ମୁସଲମାନଙ୍କୁ ବାଦ୍ ଦେଇ ଅନ୍ୟ ଧର୍ମାବଲମ୍ବୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ସମ୍ବିଧାନର ଉଲ୍ଲଂଘନ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ। ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପଡୋଶୀ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରେ ଉତ୍ପୀଡ଼ନର ଶିକାର ହୋଇଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଏହି ଆଇନର ଉଦ୍ଦେଶ୍ୟ। ଏହା ଭାରତୀୟ ନାଗରିକଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ। ତେଣୁ ଉକ୍ତ ଆଇନ କୌଣସିମତେ ଅଧିକାରରୁ ବଞ୍ଚତ୍ତ ହେବେ ନାହିଁ। ଏହା ବ୍ୟତୀତ କୌଣସି ବିଦେଶୀ ଭାରତୀୟ ନାଗରିକତ୍ୱ ଗ୍ରହଣ ଲାଗି ନାଗରିକତ୍ୱ ଆଇନ, ୧୯୫୫ରେ ରହିଥିବା ବ୍ୟବସ୍ଥାକୁ ସିଏଏ ପ୍ରଭାବିତ କରିବ ନାହଁ ବୋଲି ରିପୋର୍ଟରେ କୁହାଯାଇଛି।