Categories: ଜାତୀୟ

ସପ୍ତାହେ ମଧ୍ୟରେ ଦେଶରେ ଲାଗୁହେବ ସିଏଏ: କେନ୍ଦ୍ରମନ୍ତ୍ରୀଙ୍କ ସୂଚନା…

ନୂଆଦିଲ୍ଲୀ,୨୯।୧ : ନାଗରିକ ସଂଶୋଧନ ଅଧିନିୟମ (ସିଏଏ) ବିଷୟରେ କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଆଇନ ସାରା ଦେଶରେ କେବେ କାର୍ଯ୍ୟକାରୀ ହେବ। ଆସନ୍ତା ଏକ ସପ୍ତାହ ମଧ୍ୟରେ ଦେଶରେ ନାଗରିକ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଦାବି କରିଛନ୍ତି। ମୁଁ ଗ୍ୟାରେଣ୍ଟି ଦେଉଛି ଆସନ୍ତା ୭ ଦିନ ମଧ୍ୟରେ କେବଳ ପଶ୍ଚିମବଙ୍ଗ ନୁହେଁ ସମଗ୍ର ଦେଶରେ ଏହା ଲାଗୁ ହେବ। ଦକ୍ଷିଣ ୨୪ ପରଗଣାର କାକଦ୍ୱୀପ ଠାରେ ଏକ ସାଧାରଣ ସଭାରେ ଶାନ୍ତନୁ ଠାକୁର ନିଜ ଅଭିଭାଷଣରେ ଏଭଳି କହିଛନ୍ତି।

ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନ ସମେତ ତିନି ପଡୋଶୀ ଦେଶରୁ ୬ଟି ସମ୍ପ୍ରଦାୟକୁ ଫାଷ୍ଟ ଟ୍ରାକ ନାଗରିକତା ପ୍ରଦାନ କରିବାକୁ ସିଏଏ ଆଇନ ଲକ୍ଷ୍ୟ ରଖିଛି। ଏହି ଆଇନକୁ ଅନୁମୋଦନ କରାଯାଇଛି କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାର ନିୟମ ଏପର୍ଯ୍ୟନ୍ତ ସୂଚିତ କରାଯାଇ ନାହିଁ । ତେବେ ଶାନ୍ତନୁଙ୍କ ଅନୁଯାୟୀ ଆସନ୍ତା ସପ୍ତାହରେ ଏହା ହୋଇପାରେ।

ପଶ୍ଚିମବଙ୍ଗଳାର ବନଗାଓଁର ଭାଜପା ଲୋକସଭା ଏମପି ଶାନ୍ତନୁ ଠାକୁର ତାଙ୍କ ସିଏଏ ବିବୃତ୍ତିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମତାମତକୁ ଦୋହରାଇଛନ୍ତି। ଗତ ବର୍ଷ ଡିସେମ୍ବରରେ ଶାହା କହିଥିଲେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସିଏଏ କାର୍ଯ୍ୟକାରୀ କରିବେ ଏବଂ ଏହାକୁ କେହି ରୋକି ପାରିବେ ନାହିଁ। ସେ ତାଙ୍କ ମନ୍ତବ୍ୟ ମାଧ୍ୟମରେ ଏହାକୁ ବିରୋଧ କରୁଥିବା ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ।

Share