Categories: ଜାତୀୟ

ସିଏଏ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ: ନଡ୍ଡା

ନୂଆଦିଲ୍ଲୀ,୨୦ା୧୦: ନାଗରିକତ୍ୱ ସଂଶୋଧନ ଅଧିନିୟମ(ସିଏଏ) ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ। କୋଭିଡ୍‌ ମହାମାରୀ ଯୋଗୁ ଏହା ବିଳମ୍ବ ହୋଇଯାଇଛି ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୋମବାର ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଆୟୋଜିତ ଏକ ରାଲିରେ କହିଛନ୍ତି। ସେ କହିଛନ୍ତି ଯେ, ଭାଜପା ସିଏଏ ଲାଗୁ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସମସ୍ତେ ଏହାର ଲାଭ ପାଇବେ।
୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ଦଳର ସାଂଗଠନିକ ସ୍ଥିତି ସମୀକ୍ଷା ପାଇଁ ନଡ୍ଡା ସିଲିଗୁଡ଼ି ଗସ୍ତ କରିଛନ୍ତି। ଏହି ଅବସରରେ ସେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି। ଟିଏମ୍‌ସି ସରକାର ବିଭାଜନ କରି ଶାସନ କରିବାରେ ଆଗ୍ରହୀ। ଟିଏମ୍‌ସି ତୁଳନାରେ ଭାଜପା ସମସ୍ତଙ୍କ ବିକାଶ ପାଇଁ କାମ କରୁଛି ବୋଲି ନଡ୍ଡା କହିଛନ୍ତି।
ସୂଚନାଥାଉ କି, ଗତବର୍ଷ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ମଧ୍ୟରେ ସଂସଦରେ ସିଏଏ ପାରିତ ହୋଇଥିଲା। ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରେ ଧର୍ମ ଆଧାରରେ ନିର୍ଯାତନା ପାଇ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତରେ ଆଶ୍ରୟ ନେଇଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ୍‌, ବୌଦ୍ଧ, ଜୈନ ଏବଂ ପାର୍ସୀଙ୍କୁ ଏହି ଆଇନ ନାଗରିକତ୍ୱ ପ୍ରଦାନ କରିବ। ଏ କ୍ଷେତ୍ରରେ ମୁସଲମାନମାନଙ୍କୁ ବଞ୍ଚତ୍ତ କରାଯାଇଥିବାରୁ ଆଇନକୁ ପ୍ରବଳ ବିରୋଧ ହୋଇଆସୁଛି। ଅନ୍ୟପକ୍ଷରେ ସଂସଦରେ ସିଏଏ ପାସ୍‌ ହେବା ଏବଂ ବିଜ୍ଞପ୍ତି ପ୍ରକାଶ ପାଇବା ସତ୍ତ୍ୱେ ନିୟମ ଅଭାବରୁ ଏହି ଆଇନର କାର୍ଯ୍ୟକାରିତା ଅଟକିଯାଇଛି। ସିଏଏ ସମ୍ପର୍କିତ ନିୟମଗୁଡ଼ିକ ପ୍ରସ୍ତୁତ କରିବାରେ ଆହୁରି ୩ ମାସ ସମୟ ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗତ ଅଗଷ୍ଟରେ ସଂସଦୀୟ ସ୍ଥାୟୀ କମିଟିକୁ କହିଥିଲା।

Share