Categories: ଜାତୀୟ

ଷ୍ଟାର୍ସ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୫ା୧୦: ବିଶ୍ୱବ୍ୟାଙ୍କ ସହାୟତାରେ ଓଡ଼ିଶା ସମେତ ୬ ରାଜ୍ୟର ସ୍କୁଲ ଶିକ୍ଷାକୁ ଉନ୍ନତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବୁଧବାର ଏକ ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଷ୍ଟ୍ରେଂଦେନିଂ ଟିଚିଂ-ଲର୍ନିଂ ଆଣ୍ଡ ରିଜଲ୍ଟସ୍‌ ଫର୍‌ ଷ୍ଟେଟ୍ସ (ଷ୍ଟାର୍ସ) ପ୍ରକଳ୍ପରେ ୫,୭୧୮ କୋଟି ଟଙ୍କା ବ୍ୟୟ କରାଯିବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏଥିରୁ ପ୍ରାୟ ୫୦ କୋଟି ଡଲାର ଅର୍ଥାତ୍‌ ୩,୭୦୦ କୋଟି ଟଙ୍କା ବିଶ୍ୱବ୍ୟାଙ୍କ ଦେବ। ଷ୍ଟାର୍ସ ପ୍ରକଳ୍ପ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଅଧୀନରେ କେନ୍ଦ୍ର ସରକାରଙ୍କ ଏକ ନୂଆ ଯୋଜନା ଭାବେ କାର୍ଯ୍ୟକାରୀ ହେବ।
ଷ୍ଟାର୍ସ ପ୍ରକଳ୍ପ ଓଡ଼ିଶା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ କେରଳରେ ଲାଗୁ ହେବ। ଏହି ରାଜ୍ୟଗୁଡ଼ିକରେ ଶିକ୍ଷାର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ସହାୟତା ଦେବେ। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ଭିତ୍ତିକରି ଏହାକୁ ଗୁରୁତ୍ୱ ଦିଆଯିବ। କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି।

Share