Categories: ଜାତୀୟ

କର୍ମଯୋଗୀ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୩ା୯: ସରକାରୀ କର୍ମଚାରୀମାନଙ୍କ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ମିଶନ କର୍ମଯୋଗୀକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହା ସେମାନଙ୍କ ପାଇଁ ଭବିଷ୍ୟତରେ ସହାୟକ ହେବ। ସରକାରଙ୍କର ଏହା ସର୍ବବୃହତ୍‌ ମାନବ ସମ୍ବଳ ବିକାଶ ସଂସ୍କାର ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। କର୍ମଯୋଗୀ ମିଶନର ଶୀର୍ଷରେ ଏକ ଏଚ୍‌ଆର୍‌ କାଉନସିଲ ରହିବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କାଉନ୍‌ସିଲରେ କେତେଜଣ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ରହିବେ। ଏହାବ୍ୟତୀତ ବିଶିଷ୍ଟ ଚିନ୍ତାନାୟକ, ସାହିତି୍ୟକ ଏବଂ ସିଭିଲ୍‌ ସର୍ଭିସ ନେତୃତ୍ୱ ମଧ୍ୟ ଏଥିରେ ସଦସ୍ୟ ରହିବେ। ବର୍ତ୍ତମାନର ପ୍ରଶାସନିକ ଅଧିକାରୀମାନେ ଯେପରି ବିଶ୍ୱ ଚ୍ୟାଲେଞ୍ଜକୁ ସମ୍ମୁଖୀନ ହୋଇପାରିବେ, ସେଥିପାଇଁ ସେମାନଙ୍କୁ ସ୍ବପ୍ନଦ୍ରଷ୍ଟା, ଇନୋଭେଟିଭ୍‌ ହେବା ସହ କର୍ତ୍ତବ୍ୟନିଷ୍ଠ, ବିନମ୍ର, ପେସାଦାରି ଏବଂ ପ୍ରଗତିଶୀଳ, ଉଦ୍ୟମୀ, ସ୍ବଚ୍ଛ, ବୈଷୟିକ ଦୃଷ୍ଟିରୁ ସମର୍ଥ, ଗଠନମୂଳକ ଏବଂ ସୃଜନାତ୍ମକ ହେବାକୁ ପଡିବ ବୋଲି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ ସି. ଚନ୍ଦ୍ରମୌଳି କହିଛନ୍ତି। ମନ୍ତ୍ରୀ ଜାଭଡେକରଙ୍କ ସହ ସେ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ। କର୍ମଚାରୀମାନଙ୍କ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ସାମର୍ଥ୍ୟ ବୃଦ୍ଧି କରିବା ମିଶନ କର୍ମଯୋଗୀର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସେକ୍ସନ ଅଫିସରଙ୍କଠାରୁ ସଚିବ ପର୍ଯ୍ୟନ୍ତ ସମସ୍ତେ ଏହି ଯୋଜନାରେ ସାମିଲ ହେବେ।

କଶ୍ମୀରୀ, ଡୋଗ୍ରୀ, ହିନ୍ଦୀ ହେବ ଜମ୍ମୁ-କଶ୍ମୀର ସରକାରୀ ଭାଷା
ବର୍ତ୍ତମାନର ଉଦ୍ଦ ର୍ୁ ଓ ଇଂଲିଶ ବ୍ୟତୀତ କଶ୍ମୀରୀ, ଡୋଗ୍ରୀ ଓ ହିନ୍ଦୀକୁ ଜମ୍ମୁ-କଶ୍ମୀରର ସରକାରୀ ଭାଷା ଭାବେ ବ୍ୟବହାର କରାଯାଇପାରିବ। ଏ ସମ୍ପର୍କିତ ଏକ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ପାର୍ଲାମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ଜମ୍ମୁ-କଶ୍ମୀର ସରକାରୀ ଭାଷା ବିଲ୍‌, ୨୦୨୦ ଉପସ୍ଥାପନ କରାଯିବ ବୋଲି ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।

Share