Categories: ଜାତୀୟ

ବଢ଼ିଲା ଧାନର ସହାୟକ ମୂଲ୍ୟ: କେନ୍ଦ୍ର କ୍ୟାବିନେଟରେ ଅନୁମୋଦିତ

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି। ପ୍ରସ୍ତାବ ଅନୁମୋଦନ ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୧୮୩ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ମୁଗଡାଲିର ସହାୟକ ମୂଲ୍ୟରେ ସରକାର ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ମୁଗର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୮ହଜାର ୫ଶହ ୫୮ ଟଙ୍କାକୁ ବୃଦ୍ଧି ପାଇଛି। ମୁଗ ଗତବର୍ଷ କୁଇଣ୍ଟାଲ ପିଛା ୭ହଜାର ୭ଶହ ୫୫ ଟଙ୍କା ରହିଥିଲା। ସାଧାରଣ ଗ୍ରେଡ୍‌ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୨୦୪୦ ଟଙ୍କାରୁ ୧୪୩ ଟଙ୍କା ବୃଦ୍ଧି କରାଯାଇ ୨୧୮୩ ଟଙ୍କା କରାଯାଇଛି। ‘ଏ’ ଗ୍ରେଡ୍‌ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୧୬୩ ଟଙ୍କା ବୃଦ୍ଧି କରାଯାଇ ୨୨୦୩ ଟଙ୍କା କରାଯାଇଛି।

ସରକାରଙ୍କ ଏହି ନିଷ୍ପତ୍ତି ପରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କୃଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରାଥମିକତା ଦେଇଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ଖାଦ୍ୟସାମଗ୍ରୀର ମୁଦ୍ରାସ୍ଫୀତି ୩୦ରୁ ୪୦%କୁ ବୃଦ୍ଧି ପାଇଥିବା ବେଳେ ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଥିବା ସେ କହିଛନ୍ତି। ଏମ୍‌ଏସ୍‌ପି ବୃଦ୍ଧି ଦ୍ୱାରା କୃଷକଙ୍କୁ ଫାଇଦା ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଗୋୟଲ ପ୍ରକାଶ କରିଛନ୍ତି।

Share