ନୂଆଦିଲ୍ଲୀ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନ୍ୟାଶନାଲ କ୍ୱାଣ୍ଟମ ମିଶନକୁ ଅନୁମୋଦନ ଦିଆଯାଇଛି। ଏହି ମିଶନ ପାଇଁ ନରେନ୍ଦ୍ର ମୋଦି କ୍ୟାବିନେଟ ୨୦୨୩-୨୪ ରୁ ୨୦୩୦-୩୧ ପର୍ଯ୍ୟନ୍ତ ୬୦୦୩.୬୫ କୋଟି ଟଙ୍କା ବଜେଟ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, କ୍ୱାଣ୍ଟମ ଟେକ୍ନୋଲୋଜିରେ ସାଧାରଣ କମ୍ପ୍ୟୁଟର ଅପେକ୍ଷା ଅନେକ ଗୁଣ କମ୍ ସମୟ ମଧ୍ୟରେ ଅଧିକ ଡାଟା ପ୍ରୋସେସ ହୋଇପାରିବ। ଯୋଗାଯୋଗ, ସ୍ବାସ୍ଥ୍ୟ, ଫାର୍ମା, ଆର୍ଥିକ କ୍ଷେତ୍ର, ଶକ୍ତି, ପ୍ରତିରକ୍ଷା ଏବଂ ତଥ୍ୟ ସୁରକ୍ଷା ପ୍ରସଙ୍ଗରେ ଏହାର ବ୍ୟବହାର କରାଯାଇପାରିବ। ବର୍ତ୍ତମାନ ଏହା ବିଶ୍ୱର ଅଳ୍ପ କିଛି ଦେଶରେ ବ୍ୟବହୃତ ହେଉଛି।
ତେବେ ଭାରତକୁ ଏକ ଅଗ୍ରଣୀ ଦେଶ କରିବା ପାଇଁ ନ୍ୟାଶନାଲ କ୍ୱାଣ୍ଟମ ମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ନିଷ୍ପତ୍ତି ପରେ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଏଥିପାଇଁ ଚାରୋଟି ଭିନ୍ନ ହବ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ସେଗୁଡିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମିଶନ ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳିତ ହେବ। ଏହି ମିଶନକୁ ଗାଇଡ୍ କରିବା ପାଇଁ ସରକାରଙ୍କ ଏକ ଦଳ ରହିବ।