Categories: ଜାତୀୟ

କ୍ୟାବିନେଟ କମିଟି ପୁନର୍ଗଠିତ

ନୂଆଦିଲ୍ଲୀ,୧୪ା୭: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ୬ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ କମିଟିଗୁଡ଼ିକୁ ପୁନର୍ଗଠନ କରିଛନ୍ତି। ମଙ୍ଗଳବାର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ)କୁ ଛୋଟ କରାଯାଇଥିବାବେଳେ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ)ରେ ନୂଆ ମୁହଁଙ୍କୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଗିରିରାଜ କିଶୋର, ଭୂପିନ୍ଦର ଯାଦବ ଓ ସର୍ବାନନ୍ଦ ସୋନୋଓ୍ବାଲଙ୍କୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି। କିନ୍ତୁ ସିସିଇଏରେ କୌଣସି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟକୁ ପ୍ରତିନିଧିତ୍ୱ ମିଳିନାହିଁ। ସେହିପରି ସିସିପିଏରେ ଏନ୍‌ଡିଏର କୌଣସି ସହଯୋଗୀ ଦଳ, ଦଳିତ ଓ ସଂଖ୍ୟାଲଘୁ ସମୁଦାୟକୁ ସ୍ଥାନ ନ ମିଳିବା ସମସ୍ତଙ୍କୁ ବିସ୍ମିତ କରିଛି।
ପୂର୍ବରୁ ସିସିଇଏରେ ୧୧ ସଦସ୍ୟ ଥିବାବେଳେ ନୂଆ ପ୍ୟାନେଲରେ ୮ ଜଣଙ୍କୁ ରଖାଯାଇଛି। ସେମାନେ ହେଲେ ରାଜନାଥ ସିଂ (ପ୍ରତିରକ୍ଷା), ଅମିତ୍‌ ଶାହା (ସ୍ବରାଷ୍ଟ୍ର), ନୀତିନ ଗଡ଼କରୀ(ସଡ଼କ ପରିବହନ ଓ ରାଜପଥ), ନିର୍ମଳା ସୀତାରାମନ (ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର), ନରେନ୍ଦ୍ର ସିଂ ତୋମାର (କୃଷି ଓ କୃଷକ କଲ୍ୟାଣ), ଏସ୍‌. ଜୟଶଙ୍କର (ବହିର୍ବ୍ୟାପାର), ପୀୟୂଷ ଗୋୟଲ (ବାଣିଜ୍ୟ, ଶିଳ୍ପ ଓ ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନଶିଳ୍ପ) ଏବଂ ଧର୍ମେନ୍ଦ୍ର ପ୍ରଧାନ (ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ)। ସିସିପିଏରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ ମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ଏବଂ ଆୟୁଷ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ସମେତ ରାଜନାଥ, ଶାହା, ଗଡ଼କରୀ, ସୀତାରାମନ, ତୋମାର, ଗୋୟଲ ଏବଂ ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କୁ ରଖାଯାଇଛି। ନିବେଶ, ଅଭିବୃଦ୍ଧି ସମ୍ପର୍କିତ କମିଟିରେ ଅଶ୍ୱିନୀ ବୈଷ୍ଣବଙ୍କୁ ସୁଯୋଗ ମିଳିଛି।

Share