କ୍ୟାବିନେଟ ନିଷ୍ପତ୍ତି: ସିଇଟି ହେବ ଓୟୁଟିଆର୍‌

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)ଭୁବନେଶ୍ୱରକୁ ଏକ ଅନୁବନ୍ଧିତ, ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରି ଓଡ଼ିଶା ଟେକ୍ନୋଲୋଜି ଏବଂ ରିସର୍ଚ୍ଚ ବିଦ୍ୟାଳୟ(ଓୟୁଟିଆର)ରେ ପରଣିତ କରାଯିବ। ଏ ନେଇ ଶନିବାର ନୂତନ ଓୟୁଟିଆର ଚିଠା ବିଲ୍‌କୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହାଦ୍ୱାରା ଓୟୁଟିଆର ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚ୍‌ଡି ଶିକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହେବ। ଏହି ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ, ବିଜ୍ଞାନ ଓ ଟେକ୍ନୋଲୋଜି କ୍ଷେତ୍ରରେ ବିଶେଷ ସହାୟକ ହେବ। ସିଇଟିକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦ୍ୱାରା ରାଜ୍ୟ, ଦେଶ ଏବଂ ବିଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ ଉଚ୍ଚଶିକ୍ଷା ଏବଂ ଅନୁସନ୍ଧାନ ପାଇଁ ନୂତନ ଦ୍ୱାର ଉନ୍ମୁକ୍ତ ହୋଇପାରିବ।

ଗ୍ରୁପ୍‌-ସି କର୍ମଚାରୀଙ୍କ ପଦୋନ୍ନତିକୁ ସରଳ କରିବା ସକାଶେ ଓଡ଼ିଶା ବେସାମରିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମାବଳୀ-୧୯୯୨କୁ ସଂଶୋଧନ କରାଯିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଉକ୍ତ ନିୟମାବଳୀ ଅନୁଯାୟୀ ଗ୍ରୁପ୍‌-ସି କର୍ମଚାରୀଙ୍କ ୫ ବର୍ଷର ସିସିଆର, କାର୍ଯ୍ୟଦକ୍ଷତା ଯାଞ୍ଚ କରି ପଦୋନ୍ନତି ଦିଆଯାଇଥାଏ। ଅନେକ ସମୟରେ କର୍ମଚାରୀମାନଙ୍କ ସିସିଆର ଅଭାବ ତଥା ବୈଷୟିକ ଅସୁବିଧା କାରଣରୁ ସମୀକ୍ଷା କର୍ତ୍ତୃପକ୍ଷ, ରିପୋର୍ଟିଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ରେକର୍ଡିଂ ନ ହେବା କାରଣରୁ କର୍ମଚାରୀମାନେ ପଦୋନ୍ନତି ପାଇପାରୁ ନାହାନ୍ତି। ଏହି ଅସୁବିଧାକୁ ଦୂର କରିବା ପାଇଁ ଉକ୍ତ ନିୟମରେ ସଂଶୋଧନ କରାଯିବ। ଏହାଦ୍ୱାରା ପଦୋନ୍ନତି ପାଇଁ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ସିସିଆର ଆବଶ୍ୟକ ହେବ ନାହିଁ। ଯେଉଁ ଅଧିକାରୀମାନଙ୍କ ପାଖରେ ବର୍ଷକ ପାଇଁ କାର୍ଯ୍ୟ କରୁଛନ୍ତି ସେହି ଅଧିକାରୀ ଉଚ୍ଚ ଦାୟିତ୍ୱ ବହନ ପାଇଁ ଗ୍ରୁପ୍‌-ସି କର୍ମଚାରୀ ଫିଟ୍‌ କି ନୁହନ୍ତି ସେ ନେଇ ଏଚ୍‌ଆରଏମ୍‌ଏସ୍‌ ସିଷ୍ଟମ୍‌ରେ ତାହାକୁ ରେକର୍ଡ କରିବେ। ଏହାକୁ ନେଇ ଡିପିସି ପଦୋନ୍ନତି ପାଇଁ ବିଚାର କରିବ।

Share