ଭୁବନେଶ୍ୱର,୧୪ା୧୨(ବ୍ୟୁରୋ)- ପୁରୀ ଶ୍ରୀମନ୍ଦିର ଭଳି ଭୁବନେଶ୍ୱରରେ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଆଇନ ଆଣିଛନ୍ତି। ଏହାଦ୍ୱାରା ମନ୍ଦିର, ଏହାର ସମ୍ପତ୍ତି , ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବିଷୟଗୁଡ଼ିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରାଯିବ। ରାଜ୍ୟ ସରକାର ସ୍ବତନ୍ତ୍ର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅଧ୍ୟାଦେଶ ଆଣିଛନ୍ତି। ଏହାଦ୍ୱାରା ମନ୍ଦିର କାର୍ଯ୍ୟଗୁଡିକର ଉତ୍ତମ ଏବଂ ସୁ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ମାନର ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ। ଏହି ଆଇନ ମନ୍ଦିର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ। ଉକ୍ତ ଅଧ୍ୟାଦେଶକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଯାଇଛି।