କ୍ୟାବିନେଟ୍‌ ନିଷ୍ପତ୍ତି: ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ)- ପୁରୀ ଶ୍ରୀମନ୍ଦିର ଭଳି ଭୁବନେଶ୍ୱରରେ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଆଇନ ଆଣିଛନ୍ତି। ଏହାଦ୍ୱାରା ମନ୍ଦିର, ଏହାର ସମ୍ପତ୍ତି , ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବିଷୟଗୁଡ଼ିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରାଯିବ। ରାଜ୍ୟ ସରକାର ସ୍ବତନ୍ତ୍ର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅଧ୍ୟାଦେଶ ଆଣିଛନ୍ତି। ଏହାଦ୍ୱାରା ମନ୍ଦିର କାର୍ଯ୍ୟଗୁଡିକର ଉତ୍ତମ ଏବଂ ସୁ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ମାନର ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ। ଏହି ଆଇନ ମନ୍ଦିର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ। ଉକ୍ତ ଅଧ୍ୟାଦେଶକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଅନୁମୋଦନ କରାଯାଇଛି।

Share