Categories: ଜାତୀୟ

ୟୁସିସି ଡ୍ରାଫ୍ଟକୁ କ୍ୟାବିନେଟରେ ସବୁଜ ସଙ୍କେତ, ଫେବୃଆରୀ ୬ରେ ବିଲ ଆସେମ୍ଲିରେ ହୋଇପାରେ ଉପସ୍ଥାପନ

ଡେରାଡୁନ,୪।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟକୁ ଉତ୍ତରାଖଣ୍ଡ କ୍ୟାବିନେଟ ସବୁଜ ସଙ୍କେତ ଦେଇଛି। ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଡ୍ରାଫ୍ଟ ବିଲ ପ୍ରସ୍ତୁତ କରାଯାଇ ବିଧାନସଭାରେ ଟେବୁଲରେ ଉପସ୍ଥାପନ କରିବାକୁ ଅନୁମୋଦନ କରାଯାଇଥିଲା। ବର୍ତ୍ତମାନ ଫେବୃଆରୀ ୬ ରେ ହେବାକୁ ଥିବା ବିଧାନସଭା ଅଧିବେଶନରେ ୟୁସିସି ବିଲ ଆଗତ ହେବ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଉତ୍ତରାଖଣ୍ଡ କ୍ୟାବିନେଟ ୟୁସିସି ରିପୋର୍ଟକୁ ଅନୁମୋଦନ କରିଛି। ଫେବୃଆରୀ ୬ରେ ବିଧାନସଭାରେ ୟୁସିସି ବିଲ ଆଗତ ହେବାର ସମ୍ଭାବନା ରହିଛି। ସୋମବାର ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏଥର ବଜେଟ ସହିତ ୟୁନିଫର୍ମ ସିଭିଲ କୋଡ୍ର ଡ୍ରାଫ୍ଟ ମଧ୍ୟ ଗୃହର ଟେବୁଲରେ ରଖାଯିବ। ୟୁନିଫର୍ମ ସିଭିଲ କୋଡ ଉପରେ ସରକାରଙ୍କ ଉଦ୍ଦେଶ୍ୟକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ପଷ୍ଟ କରିସାରିଛନ୍ତି। ରାଜ୍ୟ ସରକାରଙ୍କ ଏକ ପାଞ୍ଚ ଜଣିଆ ପ୍ୟାନେଲ ଏହି ବିଲ ର ୟୁସିସି ଡ୍ରାଫ୍ଟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିକଟରେ ଦାଖଲ କରିଛି, ଏହା ପରେ ସରକାରଙ୍କ ଲିଗାଲ ଟିମ ପ୍ୟାନେଲର ସୁପାରିଶଗୁଡିକ ଅଧ୍ୟୟନ କରୁଛନ୍ତି।
ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଅବସ୍ଥିତ ସଚିବାଳୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅଧ୍ୟକ୍ଷତାରେ ଶନିବାର ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମୁଦାୟ ୧୨ଟି ପ୍ରସ୍ତାବ ଅନୁମୋଦନ କରାଯାଇଥିଲା। କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଧାମି ୟୁସିସି ଉପରେ କହିଛନ୍ତି ଯେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହେବ। ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଡ୍ରାଫ୍ଟ ବର୍ତ୍ତମାନ ପରୀକ୍ଷା କରାଯାଉଛି।

Share