ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଭୁବନେଶ୍ୱରରେ ହେବ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।
ସେଗୁଡିକ ହେଉଛି- ଭୁବନେଶ୍ୱରରେ ହେବ ବାଗ୍‌ଚୀ ଶଙ୍କର କ୍ୟାନ୍ସର ହସ୍ପିଟାଲ । ଏଥିପାଇଁ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ ୨୧୦ କୋଟି ଟଙ୍କା ପ୍ରଦାନ କରିବେ । ଏହା ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇନ୍‌ଫୋସିଟି ଅଞ୍ଚଳରେ ୨୦ ଏକର ଜମି ଯୋଗାଇ ଦିଆଯିବ । ପ୍ରଥମେ ୨୫୦ ବେଡ୍‌ ଓ ପରେ ୫ଶହ ବେଡ୍‌ର ହସ୍ପିଟାଲରେ ପରିଣତ କରାଯିବ।
ଭୁବନେଶ୍ବରରେ ପାଲିଏଟିଭ କେୟାର ହସ୍ପିଟାଲ ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ମିଳିତ ଭାବେ ଏହାକୁ ଭୁବନେଶ୍ବରରେ ନିର୍ମାଣ କରିବେ। ଏଥିପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଟଙ୍କା ପ୍ରଦାନ କରିବେ। ଇନଫୋଭ୍ୟାଲି ନିକଟରେ ସରକାର ଏଥିପାଇଁ ୨୦ ଏକର ଜମି ଯୋଗାଇ ଦେବେ। ଏଥିରେ ରୋଗୀଙ୍କ ଚିକିତ୍ସା ମାଗଣାରେ କରାଯିବ।
ସେହିଭଳି ଓଡ଼ିଶା ଖଣିଜ ପଦାର୍ଥ ଚୋରି ଓ ବେଆଇନ କାରବାର ନିରାକରଣ ସଂଶୋଧନ ଅଧିନିୟମ ୨୦୨୧କୁ ମଧ୍ୟ କ୍ୟାବିନେଟ ମୋହର ବାଜିଛି। ଏହାଦ୍ବାରା ରାଜ୍ୟରେ ଖଣିଜ ପଦାର୍ଥ ଚୋରି, ଚୋରାଚାଲାଣ ଏବଂ ଖଣି ସମ୍ପର୍କିତ ବେଆଇନ କାରବାରରେ ଅଙ୍କୁଶ ଲାଗିବ।

Share