Categories: ଜାତୀୟ

ବିବାଦରେ କାଡ୍‌ବରି ଚକୋଲେଟ୍‌

ନୂଆଦିଲ୍ଲୀ, ୩୧ା୧୦: ଲୋକପ୍ରିୟ କାଡବରି ଚକୋଲେଟ୍‌ ବିରୋଧରେ ସୋସିଆଲ ମିଡିଆରେ ବଏକଟ୍‌ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏହି ଚକୋଲେଟ୍‌ରେ ଗୋମାଂସରୁ ବାହାରୁଥିବା ଜିଲେଟିନ୍‌ ବ୍ୟବହାର କରାଯାଉଥିବା ଅଭିଯୋଗ ଆସିଛି। ଏହାଦ୍ୱାରା ହିନ୍ଦୁମାନଙ୍କ ଧର୍ମୀୟ ଭାବନା ଆଘାତ ହେଉଥିବା ସୋସିଆଲ ମିଡିଆରେ ୟୁଜର୍ସମାନେ ମତ ରଖିଛନ୍ତି।

କାଡବରି ନିଜ ପ୍ରଡକ୍ଟରେ ଜିଲେଟିନ୍‌ର ବ୍ୟବହାର କରୁଥିବାବେଳେ ଏହା ଗୋରୁ ମାଂସରୁ ସଂଗୃହୀତ କରାଯାଉଥିବା କମ୍ପାନୀ ନିଜ ଅଫିସିଆଲ୍‌ ଓ୍ବେବ୍‌ ସାଇଟ୍‌ ପେଜ୍‌ରେ ଉଲ୍ଲେଖ କରିଛି, ଯାହାର ସ୍କ୍ରିନ୍‌ସଟ୍‌ ମଧ୍ୟ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଗତବର୍ଷ କାଡବରି ବିରୋଧରେ ସମାନ ଅଭିଯୋଗ ଉଠିଥିବାବେଳେ କମ୍ପାନୀ ଜେଲଟିନକୁ କେବଳ ଅଷ୍ଟ୍ରେଲିଆ ପ୍ରଡକ୍ଟ ପାଇଁ ବ୍ୟବହାର କରୁଥିବା ନିଜ ସ୍ପଷ୍ଟୀକରଣରେ ଉଲ୍ଲେଖ କରିଥିଲା। ସେହିପରି ଭାରତ ପାଇଁ ଶତପ୍ରତିଶତ ନିରାମିଷ ପ୍ରଣାଳୀରେ ଚକୋଲେଟ ତିଆରି କରିବା ସହ ଏହାର ପ୍ୟାକେଟ୍‌ରେ ସବୁଜ ବିନ୍ଦୁ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା।

Share