ତିରୁପତି, ୨୮ା୨: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ଝିଅ କେ. କବିତା ଖୁବ୍ଶୀଘ୍ର ସିବିଆଇ ଦ୍ୱାରା ଗିରଫ ହେବେ ବୋଲି ଜଣେ ଭାଜପା ନେତା ସୋମବାର କହିଛନ୍ତି। ଏହି ମାମଲାରେ ସିବିଆଇ ରବିବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିଥିବାବେଳେ ଏଥିରେ ସମ୍ପୃକ୍ତ ଅନ୍ୟ କେତେଜଣଙ୍କୁ ଗିରଫ କରାଯିବା ସମ୍ଭାବନା ରହିଥିବା ତେଲଙ୍ଗାନା ଭାଜପା ନେତା ବିବେକ କହିଛନ୍ତି। ପଞ୍ଜାବ ଓ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ବିଆର୍ଏସ୍ ନେତ୍ରୀ କବିତା ଆମ୍ ଆଦ୍ମୀ ପାର୍ଟିକୁ ୧୫୦ କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅବକାରୀ ଦୁର୍ନୀତି ମାମଲାରେ ଦାଖଲ କରିଥିବା ଚାର୍ଜଶିଟ୍ରେ କବିତାଙ୍କ ନାଁ ରହିଛି। ଏକ ମଦ କମ୍ପାନୀରେ ବିଆର୍ଏସ୍ ନେତ୍ରୀଙ୍କର ୬୫ ପ୍ରତିଶତ ଅଂଶଧନ ରହିଥିବା ଅଭିଯୋଗ ହୋଇଛି।