ବିଭିନ୍ନ ଆକାର ଆକୃତିର କେକ୍ ଦେଖିଥିବେ। ହେଲେ ଆମେ ଏଠାରେ ଯେଉଁ କେକ୍ ସମ୍ପର୍କରେ କହୁଛୁ ତାହା ପ୍ରଥମ ନଜରରେ ମୂର୍ତ୍ତିଭଳି ଲାଗିବ। କିନ୍ତୁ ପ୍ରକୃତରେ ଏସବୁ ହେଉଛି କେକ୍। ଆଉ ଏସବୁକୁ ଏତେ ନିଖୁଣ ଓ ସୁନ୍ଦରଭାବେ କରାଯାଇଛି ଯେ, ତାକୁ କାଟି ଖାଇବାକୁ ହାତ ଯିବନି। ଏହି ସବୁ କେକ୍କୁ ତିଆରି କରିଛନ୍ତି ୟୁକେର ଏମା ଜେନ୍। ସେ କେକ୍ ଡେକୋରେଶନ୍ ଜନିତ କୌଣସି ତାଲିମ୍ ନେଇ ନାହାନ୍ତି। ଏମା ପୁଅ, ଝିଅଙ୍କ ପାଇଁ ଜନ୍ମଦିନ କେକ୍ ତିଆରି କରୁଥିଲେ। ଆଉ ତାକୁ ଡେକୋରେଟ୍ କରିବା ପାଇଁ ଚେଷ୍ଟା କରୁଥିଲେ। ଚିତ୍ର ଭଲ କରୁଥିବାରୁ ଧୀରେ ଧୀରେ ସେ ଏହି କଳାରେ ବି ନିପୁଣା ହୋଇଗଲେ। ଏହାପରେ ସେ ନିଜର ଏକ କେକ୍ ଓ୍ବର୍କଶପ୍ କରି କେକ୍ ବ୍ୟବସାୟ ଆରମ୍ଭ କଲେ। ରାଣୀ, ହିନ୍ଦୁ କନିଆ, ହିନ୍ଦୁ ନାରୀ, କାଳ୍ପନିକ ନାରୀ ଚରିତ୍ର, ବିଶିଷ୍ଟ ବ୍ୟକ୍ତି, କୁକୁର, ବିଲେଇ, ବିଭିନ୍ନ ଚଢେଇ ଆଦିର କେକ୍ ଏମା ତିଆରି କରୁଛନ୍ତି। ଆଉ ସେସବୁରେ ଦେଖିବାକୁ ମିଳେ ନିଖୁଣ କାରିଗରି। ଏବେ ସେ ଅନ୍ୟମାନଙ୍କୁ ବି କେକ୍ ଡେକୋରେଶନ୍ କରିବା ଶୈଳୀ ଶିଖାଉଛନ୍ତି।