ମୃତ୍ୟୁ ପୂର୍ବରୁ ବାଣ୍ଟିଥିଲେ କେକ୍‌, ମିଠା

କୁଆଁରମୁଣ୍ଡା,୧୦।୩(ଡି.ଏନ୍‌.ଏ.): ମୃତ୍ୟୁର କିଛି ଘଣ୍ଟା ଆଗରୁ ସାଙ୍ଗସାଥୀ, ସମ୍ପର୍କୀୟଙ୍କୁ ମିଠା, କେକ୍‌, ଆଇସ୍‌କ୍ରିମ ଆଦି ବାଣ୍ଟିବା ଘଟଣା ସାଧାରଣତଃ ବିରଳ। ହେଲେ ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳରେ। ମୃତ୍ୟୁର କିଛି ଘଣ୍ଟା ଆଗରୁ ବୀରମିତ୍ରପୁର ଅଞ୍ଚଳରେ ଡେଲିଭରି ବୟ ଭାବେ କାର୍ଯ୍ୟ କରୁଥିବା ଯୁବକ ରୀତିକ କେଶରୀ(୨୪) ସମସ୍ତଙ୍କୁ ମିଠା, କେକ୍‌ ଇତ୍ୟାଦି ଖାଇବାକୁ ଦେଇଥିବା ଜଣାପଡ଼ିଛି। ରୀତିକଙ୍କ ଅଧାପୋଡ଼ା ମୃତ ଶରୀରକୁ ପୋଲିସ ଗୁରୁବାର ସକାଳୁ ବୀରମିତ୍ରପୁର ପ୍ରାଣୀ ଚିକିତ୍ସାଳୟ ନିକଟସ୍ଥ ଏକ ଖୋଲାପଡ଼ିଆରୁ ଜବତ କରିଛି। ସେ ପେଟ୍ରୋଲ ଢାଳି ପୋଡିହୋଇ ଆମତ୍ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏନେଇ ବୀରମିତ୍ରପୁର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୫/୨୨) ରୁଜୁକରି ତଦନ୍ତ କରୁଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବୀରମିତ୍ରପୁର ଥାନା ଆଇଆଇସି ମନୋଜାମଞ୍ଜରୀ ନାଏକ କହିଛନ୍ତି। ରୀତିକଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ତେବେ ବୁଧବାର ସନ୍ଧ୍ୟାରେ ସେ ସମସ୍ତଙ୍କୁ ଖାଇବାକୁ ଦେଇ ନିଜେ ଖାଇଥିଲେ। ସାଙ୍ଗସାଥୀମାନେ ପଚାରିବାରୁ କାଲି କିଏ ଦେଖିଛି ବୋଲି ହସି ହସି କହିଥିଲେ। ତାଙ୍କର ମୃତଦେହ ମିଳିବା ପରେ ସାଙ୍ଗସାଥିମାନେ ବୁଧବାର ସନ୍ଧ୍ୟାର ଏହି କଥା ମନେପକାଇ ଶୋକ ପ୍ରକାଶ କରୁଛନ୍ତି। ଏହି ଘଟଣା ବୀରମିତ୍ରପୁର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Share