ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା

ବ୍ରଜରାଜନଗର,୪ା୫ (ଡି.ଏନ.ଏ.): ବ୍ରଜରାଜନଗର ନିିର୍ବାଚନ ମଣ୍ଡଳୀ ପାଇଁ ନିିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଏଠାକାର ଦଳୀୟ ରାଜନୀତି ସରଗରମ ହୋଇଉଠିିଛି। ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। ମୁଖ୍ୟତଃ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର୍‌ ହେବାକୁ ଥିବାବେଳେ ଉଭୟ ଦଳ କାହାକୁ ପ୍ରାର୍ଥୀ କରିବେ ସେ ନେଇ ମୁହଁ ଖୋଲୁନାହାନ୍ତି।
ବିଜୁ ଜନତା ଦଳ ନଗର ସଭାପତି ରାଧାକାନ୍ତ ପ୍ରଧାନ କହନ୍ତି, ଦଳର ନେତୃତ୍ୱ ଠିକ୍‌ ସମୟରେ ନିଷ୍ପତ୍ତି ନେବେ। ନିିର୍ବାଚନମଣ୍ଡଳୀର ଭୋଟରମାନେ ଚାହୁଁଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେବ। ଦଳ ଯାହାକୁ ପ୍ରାର୍ଥୀ କରିବ ତାକୁ ଆମେ ସମସ୍ତେ ସମର୍ଥନ କରିବୁ ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ଭାଜପା ମଣ୍ଡଳ ସଭାପତି ରୁକ୍ମଣ ଧୁରୁଆ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା ଅଧିକ ରହିବ ବୋଲି ପ୍ରକାଶ କରିଛନ୍ତି। ପୂର୍ବତନ ବିଧାୟିକା ପଣ୍ଡା କହନ୍ତି, ବ୍ରଜରାଜନଗରରେ ଅନେକ କାମ ବାକି ରହିଯାଇଛି। ଦଳୀୟ ପଦାଧିକାରୀ ଯଦି ମୋ ଉପରେ ଭରସା କରି ଟିକେଟ ଦେବେ ତା’ହେଲେ ନିର୍ବାଚନ ମଣ୍ଡଳୀର ଉନ୍ନତି ସହିତ ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦେଇ କାମ କରିବି। ଅନ୍ୟପକ୍ଷରେ କଂଗ୍ରେସର ଯୁବ ସଭାପତି ଦେବେଶ ପଣ୍ଡା କହନ୍ତି, ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଆଲୋଚନା ଚାଲିଛି। ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ନେଇ ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୦୧୯ ନିିର୍ବାଚନରେ ବିଜୁ ଜନତା ଦଳର ସ୍ବର୍ଗତ କିଶୋର ମହାନ୍ତି ୮୦୧୫୨ଖଣ୍ଡ, ରାଧାରାଣୀ ପଣ୍ଡା ୬୮୫୧୮ଖଣ୍ଡ ଭୋଟ ପାଇଥିବାସ୍ଥଳେ କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ୯୩୫୦ଖଣ୍ଡ ଭୋଟ ପାଇଥିଲେ। ସେହିପରି ନିକଟରେ ସରିଥିବା ପୌର ନିିର୍ବାଚନରେ ବ୍ରଜରାଜନଗର ପୌରାଞ୍ଚଳରୁ ବିଜୁ ଜନତା ଦଳ ମୋଟ ୨୨୦୮୫, ଭାଜପା ୧୩୧୦୩ ଓ ଅନ୍ୟ ଦଳ ମିଶି ୩୮୪୭ଖଣ୍ଡ ଭୋଟ ପାଇଥିଲେ। ଦୀର୍ଘବର୍ଷ ଧରି ଏହି ଆସନଟି ସରକାରଙ୍କ ବିରୋଧରେ ଯାଇଥିଲା। ଏହି ଧାରାରେ ପରିବର୍ତ୍ତନ ଆଣିଥିଲେ ସ୍ବର୍ଗତ କିଶୋର ମହାନ୍ତି। ବିଗତ ଦିନରେ ଶେଷ ହୋଇଥିବା ନିର୍ବାଚନରେ ବିଜୁ ଜନତା ଦଳ ଜିତିବାରେ ସକ୍ଷମ ହୋଇଛି ସତ ହେଲେ ବିଜୟ ବ୍ୟବଧାନ ବହୁ କମ୍‌ ଥିବା ଜଣାପଡ଼ିଛି। ଚଳିତ ଉପନିିର୍ବାଚନରେ ମୁଖ୍ୟତଃ ଭାଜପା ଓ ବିଜୁ ଜନତା ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅଞ୍ଚଳର ପୁରୁଖା ରାଜନେତା ମତପୋଷଣ କରିଛନ୍ତି।

Share