ମୁମ୍ବାଇ, ୨୦।୪: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଛି। କୋଭିଡ୍ ସ୍ଥିତି ଉପରେ ଆଲୋଚନା ଲାଗି କେନ୍ଦ୍ର ସରକାର ପାର୍ଲାମେଣ୍ଟର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଶିବସେନା ନେତା ସଞ୍ଜୟ ରାଉତ୍ ସୋମବାର ଦାବି କରିଛନ୍ତି। ଏନେଇ ସେ ରବିବାରଠାରୁ ବିଭିନ୍ନ ଦଳର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ବିଭିନ୍ନ ଦେଶରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସବୁଠି ଜୁଇ ଜଳୁଛି। ଶବ ପୋଡ଼ିବାକୁ ଜାଗା ମିଳୁନାହିଁ। ଦେଶରେ ଭୟଙ୍କର ସ୍ଥିତି ଉପୁଜିଲାଣି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଅନୂ୍ୟନ ୨ ଦିନ ପାଇଁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକି ଆଲୋଚନା କରନ୍ତୁ। ଏଥିରେ ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ ସେମାନଙ୍କ ମତାମତ ରଖିବା ସହ ସବୁ ରାଜ୍ୟର ଏମ୍ପିମାନେ ସେମାନଙ୍କ ନିର୍ବାଚନମଣ୍ଡଳୀର ସ୍ଥିତି ସମ୍ପର୍କରେ ଆଲୋଚନା କରନ୍ତୁ ବୋଲି ଶିବସେନା ନେତା କହିଛନ୍ତି।