ଓଟିଡିସିକୁ ବିଶ୍ବସ୍ତରୀୟ କରିବାକୁ ଆହ୍ବାନ

ଭୁବନେଶ୍ୱର,୪।୯(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି) ସର୍ବଦା ‘ଅତିଥି ଦେବୋ ଭବଃ’କୁ ଗୁରୁତ୍ୱ ଦେଇ ଆସୁଛି। ଅନ୍ୟ ରାଜ୍ୟ ବା ଦେଶରୁ ଆସୁଥିବା ଅତିଥିମାନଙ୍କୁ ଉଚିତ୍‌ ଆତିଥେୟତା ସହ ଆନୁଷଙ୍ଗିକ ସୁବିଧା ପ୍ରଦାନ କରୁଛି। ଆଗାମୀ ଦିନରେ ଓଟିଡିସିକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଆହ୍ବାନ ଦେଇଛନ୍ତି। ଶନିବାର ଭୁବନେଶ୍ବରସ୍ଥିତ ପାନ୍ଥନିବାସଠାରେ ନିଗମର ୪୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ କହିଲେ, ନିଜ କାର୍ଯ୍ୟରେ ଉନ୍ନତି ସାଙ୍ଗକୁ ବିଭିନ୍ନ ସରକାରୀ ନିଷ୍ପରି କାର୍ଯ୍ୟକାରୀ କରିବାରେ ନିଗମ ତାହାର କାର୍ଯ୍ୟ ଅବ୍ୟାହତ ରଖିଛି। ଓଡିଶାରେ ଶ୍ରୀକ୍ଷେତ୍ର ପୁରୀ, କୋଣାର୍କ, ଭିତରକନିକା, ଶିମିଳିପାଳ, ମନ୍ଦିରମାଳିନୀ ସହର ଭୁବନେଶ୍ବର ଆଦି ପର୍ଯ୍ୟଟନସ୍ଥଳୀ ବିଶ୍ବ ମାନଚିତ୍ରରେ ସ୍ଥାନ ପାଇଛି। ଏହାକୁ ଦୃଷ୍ଟିରେ ରଖି ଓଟିଡିସି ଠିକ୍‌ ପ୍ରସ୍ତୁତି କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ଯୋଗଦେଇ ଓଟିଡିସିର କାର୍ଯ୍ୟଧାରା ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଓଟିଡିସି ଉପଲବ୍ଧ ସୁବିଧାକୁ ପୁନଃ ତର୍ଜମା କରି ଆତିଥେୟତା ପ୍ରଦାନରେ ସ୍ବତନ୍ତ୍ରତା ଆଣିବା, ଅତିଥିମାନଙ୍କୁ ସମ୍ମାନର ସହ ସୁରକ୍ଷିତ ରଖିବା ଏବଂ ସୁଖାଦ୍ୟ ପରିବେଷଣ ଉପରେ ଅଧିକ ଧ୍ୟାନ ଦେଲେ ସେମାନେ ଓଡିଶାରୁ ନୂଆ ଅନୁଭୂତି ନେଇଯିବେ ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ। ବିଭାଗୀୟ ନିର୍ଦ୍ଦେଶକ ସଚିନ୍‌ ରାମଚନ୍ଦ୍ର ଯାଦବ ଯୋଗଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଓଟିଡିସି ତରଫରୁ ପ୍ରଦାନ କରାଯାଉଥିବା ଭ୍ରମଣ, ପାନ୍ଥନିବାସ ସୁବିଧା ଓ ଆତିଥେୟତା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଓଟିଡିସିର ବୁକିଂ ୱେବ୍‌ସାଇଟ୍‌ www.bookodisha.com ଏବଂ ବାର୍ଷିକ ମୁଖପତ୍ର ‘ଏଲିଭେଟିଂ ଓଡିଶା’ ଉନ୍ମୋଚିତ ହୋଇଥିଲା। ଏଥିସହ ଓଟିଡିସିର କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Share