Categories: ଖେଳ

ମାଞ୍ଚେଷ୍ଟର ଟେଷ୍ଟ ଉପରେ କଳା ବାଦଲ

ମୁମ୍ବାଇ,୯।୯: ଜଣଙ୍କ ପରେ ଜଣେ ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ଆରଟିପିସିଆର୍‌ ରିପୋର୍ଟ ପଜିଟିଭ ଆସିଛି। ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ପରେ ଟିମ୍‌ ଇଣ୍ଡିଆର ଜଣେ ଆସିଷ୍ଟାଣ୍ଟ ଫିଜିଓଥେରାପିଷ୍ଟ ଯୋଗେଶ ପର୍ମାର କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି। ଏଥି ଯୋଗୁ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ମାଞ୍ଚେଷ୍ଟର ଟେଷ୍ଟ ଉପରେ ଛାୟୀ ହୋଇଯାଇଛି କଳା ବାଦଲ।

ପର୍ମାର ଭାରତୀୟ ଖେଳାଳିଙ୍କ ଚିକିତ୍ସା କରିବା ସହ ନିୟମିତ ଯୋଗାଯୋଗରେ ଥିଲେ। ଫଳରେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ହୋଟେଲରେ ଏବେ ଭୟର ବତାବରଣ। ସପୋର୍ଟ ଷ୍ଟାଫ ସଂକ୍ରମିତ ଚିହ୍ନଟ ହେବା ଯୋଗୁ ଗୁରୁବାର ପ୍ରାକ୍ଟିସ ସେସନକୁ ବାତିଲ କରି ଦିଆଯାଇଛି।

ଭାରତୀୟ କ୍ୟାମ୍ପରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଖେଳାଯିବ ନା ନାହିଁ, ତା ଉପରେ ବିସିସିଆଇ ଏବଂ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ନିଷ୍ପତ୍ତି ନେବେ। ଖେଳାଳିଙ୍କ ସୁରକ୍ଷାକୁ ଉଭୟ ବୋର୍ଡ ପ୍ରାଧ୍ୟାନ୍ୟ ଦେଇ ଆସୁଛନ୍ତି। କାରଣ ମାଞ୍ଚେଷ୍ଟର ଟେଷ୍ଟ ଶେଷ ହେବାର ତୁରନ୍ତ ପରେ ଉଭୟ ଦଳର ଖେଳାଳିମାନେ ୟୁଏଇ ଗସ୍ତ କରିବେ। ସେଠାରେ ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯିବ। ଏହାପରେ ସମାନ ଭେନ୍ୟୁରେ ଟି୨୦ ବିଶ୍ୱକପ୍‌ ଖେଳାଯିବାର ଅଛି।

Share