ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲକୁ ଆହ୍ବାନ

ଜେରୁଜେଲମ୍‌,୧୧ା୧୧: ହମାସ୍‌ ବିରୋଧରେ ଇସ୍ରାଏଲର ସଂଗ୍ରାମ ଜାରି ରହିଛି। ଏହି ସମୟରେ ସାଉଦି ଆରବ ଏବଂ ମୁସଲମାନ ଦେଶ ଗାଜାରେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି। ରିୟାଦରେ ମିଳିତ ଇସ୍‌ଲାମ-ଆରବ ଶିଖର ସମ୍ମିଳନୀରେ ଘୋଷଣା କରାଯାଇଛି ଯେ, ପାଲେଷ୍ଟାଇନ ବିରୋଧରେ ହୋଇଥିବା ଅପରାଧ ପାଇଁ ଇସ୍ରାଏଲ ଦାୟୀ ରହିବ।

ଏହି ବୈଠକରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ମଧ୍ୟ ଯୋଗ ଦେଇଥିଲେ। ତାଙ୍କ ବ୍ୟତୀତ ତୁର୍କୀ ରାଷ୍ଟ୍ରପତି ତାଇପ ଏର୍‌ଦଗାନ, କତାରର ଏର୍ମି ଶେଖ ତମିମ ବିନ ହମାଦ ଅଲ୍‌ ଥାନି ଏବଂ ସିରିଆ ରାଷ୍ଟ୍ରପତି ବାଶାର-ଅଲ୍‌-ଅସଦ ମଧ୍ୟ ସାମିଲ ଥିଲେ। ଏହି ଅବସରରେ ରାଇସି କହିଛନ୍ତି, ବର୍ତ୍ତମାନ ରିୟାଦ ଆଡ଼କୁ ଗତି କରୁଥିବା ବେଳେ ବିବାଦ ସମ୍ପର୍କରେ ଆଲୋଚନା କରିବା ପରିବର୍ତ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି।

ସେ କହିଛନ୍ତି, ଆଜି ଇସଲାମ ଦେଶଗୁଡ଼ିକର ଏକତାର ଆବଶ୍ୟକତା ରହିଛି। ରାଇସି ପ୍ରସ୍ତାବ ଦେଇଛନ୍ତି ଯେ, ମୁସଲମାନ ଦେଶମାନେ ଇସ୍ରାଏଲକୁ ସେମାନଙ୍କ ବାୟୁ ସ୍ଥାନ ବ୍ୟବହାର କରିବାରେ ପ୍ରତିବନ୍ଧକ ଲଗାନ୍ତୁ ଏବଂ ଆମେରିକାକୁ ନିଜ ଅଞ୍ଚଳରେ ସାମରିକ ଘାଟରୁ ଅସ୍ତ୍ର ପଠାଇବାକୁ ବାରଣ କରନ୍ତୁ।

ଏହି ସମୟରେ ସାଉଦି-ଆଫ୍ରିକୀୟ ଶିଖର ସମ୍ମିଳନୀରେ ଗାଜା ଉପରେ ହୋଇଥିବା ଆକ୍ରମଣକୁ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ନିନ୍ଦା କରିଛନ୍ତି। ସେ କହିଛନ୍ତି, ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି ଏବଂ ଇସ୍ରାଏଲ ଦ୍ୱାରା ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରାଯାଉଛି।

ଏହି ଯୁଦ୍ଧକୁ ବାଧ୍ୟତାମୂଳକ ଭାବେ ବନ୍ଦ କରି ସ୍ଥିରତା ଏବଂ ଶାନ୍ତିର ପୁନରୁଦ୍ଧାର ପାଇଁ ସର୍ତ୍ତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ଭାଗ ନେବାକୁ ପଶ୍ଚିମ ଏସିଆ ଏବଂ ଆଫ୍ରିକାର ୫୦ଟି ଦେଶର ନେତା ରିୟାଦରେ ପହଞ୍ଚିଥିଲେ।

Share