Categories: ଜାତୀୟ

ପୁଅକୁ ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତାରେ ମା’ଙ୍କ ନିବେଦନ

ଶ୍ରୀନଗର,୩୧ା୭: ଦକ୍ଷିଣ କଶ୍ମୀରର କୁଲ୍‌ଗାମ ଜିଲାର ଅସ୍ଥାଲ ଅଞ୍ଚଳରୁ ଯବାନ ଜାଭେଦ୍‌ ଅହମ୍ମଦ ଓ୍ବାନି ଶନିବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଛନ୍ତି। ହେଲେ ସୋମବାର ମଧ୍ୟାହ୍ନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଅନ୍ୟପକ୍ଷେ ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଲୋକଙ୍କୁ ପଚରାଉଚରା କରାଯାଇଛି। ଏପରିକି ଯବାନଙ୍କ କଲ୍‌ ରେକର୍ଡ ଯାଞ୍ଚ କରାଯାଉଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

ପୁଅକୁ ଫେରାଇ ଆଣିବା ପାଇଁ ତାଙ୍କ ମା’ ଏକ ଭିଡିଓ ବାର୍ତ୍ତାରେ ନିବେଦନ କରିଛନ୍ତି। ଯଦି ତାଙ୍କ ପୁଅ କିଛି ଭୁଲ୍‌ କରିଥାଏ, ତେବେ କ୍ଷମା କରିଦେବାକୁ ସେ ନିବେଦନ କରିଛନ୍ତି। ଯବାନଙ୍କୁ ଖୋଜି ବାହାର କରିବା ଲାଗି ବ୍ୟାପକ ତଲାସି ଅଭିଯାନ ଚାଲିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ଜାଭେଦ୍‌ ଲଦାଖର ଲେହରେ ଜମ୍ମୁ-କଶ୍ମୀର ଲାଇଟ୍‌ ଇନ୍‌ଫ୍ୟାଣ୍ଟ୍ରି ରେଜିମେଣ୍ଟରେ ଜଣେ ରାଇଫଲ ମ୍ୟାନ୍‌ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଇଦ୍‌ଠାରୁ ଛୁଟିରେ ଘରକୁ ଆସିଥିଲେ। ସୋମବାର ସେ ଡ୍ୟୁଟିକୁ ଫେରିଥାନ୍ତେ। ହେଲେ ଶନିବାର ସନ୍ଧ୍ୟାରେ ସେ କାର୍‌ ଧରି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଚାଓ୍ବଲଗାମ୍‌ ଯାଇ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କ କାର୍‌କୁ ବଜାର ନିକଟରେ ପାଇଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି ଯେ, କାର୍‌ରେ ରକ୍ତ ଚିହ୍ନ ରହିଥିଲା। କିନ୍ତୁ ଅଧିକାରୀମାନେ ଏହାକୁ ନିଶ୍ଚିତ କରି ନାହାନ୍ତି। ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିନେଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଉଛି।

Share