Categories: ଜାତୀୟ

ବେଆଇନ ଟେଲିଫୋନ୍‌ ଏକ୍ସଚେଞ୍ଜକୁ କଲ୍‌

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୧ା୬(ପି.ଟି.):ପାକିସ୍ତାନର ଗୁପ୍ତଚର ସଂସ୍ଥାଠାରୁ ପୂର୍ବ ଭାରତରେ ଥିବା ଏକ ସାମରିକ ପ୍ରତିଷ୍ଠାନକୁ ନେଇ ଫୋନ୍‌ କଲ୍‌ କରାଯିବା ପରେ ଏବେ ବେଙ୍ଗାଲୁରୁସ୍ଥିତ ଏକ ଅବୈଧ ଟେଲିଫୋନ୍‌ ଏକ୍ସଚେଞ୍ଜ ପଦାକୁ ଆସିଛି। ଫଳରେ ଦେଶର ଅନ୍ୟ ଭାଗରେ ମଧ୍ୟ ଏପରି ବ୍ୟବସ୍ଥା ଚାଲିଥିଲା କି ବୋଲି ପ୍ରଶ୍ନ ଉଠିଛି। ଏହି ର଼୍ୟାକେଟର ରହସ୍ୟ ଉନ୍ମୋଚନ ସେନାର ଦକ୍ଷିଣ କମାଣ୍ଡ ସାମରିକ ଗୋଇନ୍ଦା ଶାଖା କରିଥିବା ନେଇ ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି।
ସୂଚନାନୁସାରେ ସଦର୍ନ କମାଣ୍ଡର ମିଲିଟାରି ଇଣ୍ଟେଲିଜେନ୍ସ ଓ୍ବିଙ୍ଗ୍‌ କିଛି ସପ୍ତାହ ତଳେ ଏହି ର଼୍ୟାକେଟ ଧରିଥିଲା। ଜଣେ ପାକିସ୍ତାନୀ ଗୁପ୍ତଚର ନିଜକୁ ବରିଷ୍ଠ ଅଧିକାରୀ ଦର୍ଶାଇ ପୂର୍ବ ଭାରତର ଏକ ସେନା ପ୍ରତିଷ୍ଠାନ ସମ୍ପର୍କରେ ବିବରଣୀ ମାଗୁଥିଲେ। ଗୋଇନ୍ଦା ଅଧିକାରୀମାନେ ଅଧିକ ତଦନ୍ତରୁ ଜାଣିବାକୁ ପାଇଲେ ଯେ, ଅନ୍ୟ କେତେକ ମୁଭ୍‌ମେଣ୍ଟ କଣ୍ଟ୍ରୋଲ ଅଫିସ (ଏମ୍‌ସିଓ), ପ୍ରିନ୍ସିପାଲ କମ୍ପଟ୍ରୋଲର ଅଫ୍‌ ଡିଫେନ୍ସ ଆକାଉଣ୍ଟ (ପିସିଡିଏ)କୁ ମଧ୍ୟ ପାକିସ୍ତାନୀ ଗୁପ୍ତଚର କଲ୍‌ କରି ଏପରି ତଥ୍ୟ ମାଗିଥିଲେ। ସେନା ସମ୍ପର୍କରେ ତଥ୍ୟ ହାସଲ ପାଇଁ ପାକିସ୍ତାନୀ ଗୁପ୍ତଚର ଭାରତୀୟ ନାଗରିକଙ୍କୁ ବେଆଇନ୍‌ ଟେଲିଫୋନ୍‌ ଏକ୍ସଚେଞ୍ଜ ଜରିଆରେ ଯୋଗାଯୋଗ କରିବା ଖବର ସାମ୍ନାକୁ ଆସିବା ପରେ ସୁରକ୍ଷା ଚିନ୍ତା ବଢ଼ିଯାଇଛି।

Share