ନିଜକୁ ଇଡି ଅଫିସର କହି ଉପଜିଲାପାଳଙ୍କଠାରୁ ବଟି ଆଦାୟ କରୁଥିଲେ ୨ ଭାଇ : ଧରିଲା ପୋଲିସ

ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହାନ୍ତଙ୍କୁ ଢେଙ୍କାନାଳ ଟାଉନ ଥାନା ଦୋଳମଣ୍ଡପ ସାହିର ତାରିଣୀସେନ ମହାପାତ୍ର (୩୦) ଓ ବ୍ରହ୍ମାଶଙ୍କର ମହାପାତ୍ର (୨୭) ୨ ଜଣ ଇଡି ଅଫିସର କହି ଧମକାଇ ବଟି ଆଦାୟ କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫ ହୋଇଛନ୍ତି। ଅଭିଯୁକ୍ତ ୨ ଜଣ ଦୁଇ ଭାଇ ବୋଲି ଜଣାପଡିଛି l ଉପରୋକ୍ତ ଦୁଇଭାଇଙ୍କୁ ନକଲି ଇଡି ଅଫିସର କହି ଠକିବା ତଥା ପଇସା ଆଦାୟ କରିବା, ଧମକ ଦେବା ଆଦି ଦଫାରେ ଏସ୍‌ଟିଏଫ କ୍ରାଇମବ୍ରାଞ୍ଚ ତରଫରୁ ଭାରତୀୟ ପିଙ୍ଗଳ ଧାରା ୪୧୯/୪୨୦/୩୮୪/୩୮୮/୪୬୭/୪୭୧/୫୦୬/୧୨ ୦ ଖରେ ଛତ୍ରପୁର ସ୍ଥିତ ଏସଡ଼ିଜେଏମ କୋର୍ଟ ଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଏତଲାକାରୀ ଛତ୍ରପୁର ଉପଜ଼ିଲାପାଳ ଦେବଦତ୍ତ ମହାନ୍ତଙ୍କୁ ଉପରୋକ୍ତ ଦୁଇ ଭାଇ ନିଜକୁ ନକଲି ଇଡି ଅଫିସର ଅତିରିକ୍ତ ନିର୍ଦ୍ଦେଶକ ସଂଜୟ ମିଶ୍ର ପରିଚୟ ଦେଇ ତା ୧୧-୦୩-୨୦୨୪ ରିଖ ଦିନ ଫୋନ କରି ତାଙ୍କ ବିରୋଧରେ ମୟୁରଭଞ୍ଜରେ ଏକ ଲାଞ୍ଚ କାରବାର ମାମଲା ରହିଛି ଓ ତାକୁ ଯଥାଶୀଘ୍ର ରଫାଦଫା କରିଦିଅନ୍ତୁ କହି ଏକ ଧମକ ଆସିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଭାଗର ସଂଯୁକ୍ତ ସଚିବଙ୍କ ସହ କଥା ହେଇ ମାମଲା ରଫାଦଫା କରିବା ପାଇଁ ଥରକୁ ୫ଥର ଫୋନ କରି ଚାପ ପ୍ରୟୋଗ କରାଯାଇଥିଲା। କିନ୍ତୁ ଏତଲାକାରୀ ଏହାକୁ ତିଳେ ହେଁ ଧ୍ୟାନ ନ ଦେଇ ଏକ ମାମଲା ରୁଜୁ କରିଥିଲେ, ଯାହାକି ଏସ୍‌ଟିଏଫ କ୍ରାଇମବ୍ରାଞ୍ଚରେ ଗତ ମାର୍ଚ୍ଚ ୧୫ରେ ରୁଜୁ ହୋଇଥିଲା। ପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ଯାଞ୍ଚ ଆରମ୍ଭ କରିବା ପରେ ଜଣାପଡିଥିଲା ଯେ, ଏହି ଦୁଇ ଭାଇ ଏ ଭଳି ଭିନ୍ନ ପରିଚୟ ଦେଇ ବହୁତ ସରକାରୀ ଅଫିସର, କିରାଣୀ ଆଦିକୁ ଠକିଛନ୍ତି। ପରେ ସେମାନଙ୍କ ବ୍ୟାଙ୍କ ତଥ୍ୟରୁ ସୂଚନା ମିଳିଲା ଯେ, ସେମାନେ ୧୬ଲକ୍ଷ ଟଙ୍କା ଏ ବାବଦରେ ସମସ୍ତଙ୍କ ଠାରୁ ଆଦାୟ କରିଛନ୍ତି। ଆଜି ଏସ୍‌ଟିଏଫ କ୍ରାଇମବ୍ରାଞ୍ଚ ତରଫରୁ ଉପରୋକ୍ତ ଆସାମୀ ଦ୍ୱୟଙ୍କୁ ବିଭିନ୍ନ ସଙ୍ଗୀନ ଦଫାରେ କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ମୁଦଲାଙ୍କ ତରଫରୁ କୌଣସି ଓକିଲ ନ ଥିବାରୁ କେହି ଜାମିନ ଆବେଦନ କରି ନ ଥିଲେ ବୋଲି କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ତେଣୁ ବର୍ତ୍ତମାନ ସେ ଦୁହେଁଙ୍କୁ ଛତ୍ରପୁର ସବଜେଲକୁ ସ୍ଥାନାନ୍ତର କରାଯାଇଥିଲା।

 

Share