ପୁତ୍ରଙ୍କୁ ଉତ୍ତରାଧିକାରୀ ଭାବେ ପଦବୀ ଦେବେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ…

ଫନୋମ ପେହ୍ନ,୨।୫ : କାମ୍ବୋଡିଆରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ କ୍ଷମତାର କେନ୍ଦ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଘରେ ରହିବ। ୪୦ ବର୍ଷ ଧରି ଦେଶରେ ଶାସନ କରୁଥିବା ହୁନ ସେନ ବର୍ତ୍ତମାନ ତାଙ୍କ ପଦକୁ ପୁତ୍ରଙ୍କୁ ଉତ୍ତରାଧିକାରୀ ଭାବେ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଶାସକ କାମ୍ବୋଡିଆ ପିପୁଲ୍ସ ପାର୍ଟି (ସିପିପି) ଗତ ମାସରେ ଘୋଷଣା କରିଥିଲା, ଜୁଲାଇରେ ହେବାକୁ ଥିବା ସଂସଦ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ବଡ ପୁଅ ହୁନ ମାନେଟ ଦଳର ପ୍ରାର୍ଥୀ ହେବେ। ହୁନ ମନେଟ ବର୍ତ୍ତମାନ ପର୍ଯ୍ୟନ୍ତ ରୟାଲ କାମ୍ବୋଡିଆ ସେନାରେ ଜଣେ କମାଣ୍ଡର ଥିଲେ। ଏପ୍ରିଲ ୨୪ରେ, ମାନେଟ ସେନାରେ ନିଜର ପଦ ଛାଡିଥିଲେ। ସେବେଠାରୁ ସେ ଖୋଲାଖୋଲି ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ସଂସଦ ନିର୍ବାଚନରେ ଜିତିବା ପରେ ତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ହେବାର ରାସ୍ତା ସଫା ହୋଇଯିବ।

ହୁନ ମାନେଟ ୪୫ ବର୍ଷ ବୟସ୍କ। ସେ ଅର୍ଥନୀତିରେ ଡକ୍ଟରେଟ ହାସଲ କରିଛନ୍ତି। ହୁନ ସେନ ପୂର୍ବରୁ କହିଥିଲେ , ସେ ୨୦୨୮ ନିର୍ବାଚନ ପର୍ଯ୍ୟନ୍ତ କ୍ଷମତାରେ ରହିବେ। କିନ୍ତୁ ବର୍ତ୍ତମାନ ତାଙ୍କର ବୟସ ୭୦ ବର୍ଷରୁ ଅଧିକ ଏବଂ ନିକଟ ଅତୀତରେ ତାଙ୍କ ସ୍ବାସ୍ଥ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେ ତାଙ୍କ ଉତ୍ତରାଧିକାରୀ ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ବିତ କରିଛନ୍ତି। କ୍ଷମତା ହସ୍ତାନ୍ତର ଏହି ବର୍ଷ ଘଟିବ ।

ସିପିପି ପୂର୍ବରୁ ଏକ ମାର୍କ୍ସବାଦୀ ଦଳ ଥିଲା। କିନ୍ତୁ ସୋଭିଏତ ସଂଘର ବିଚ୍ଛିନ୍ନ ହେବା ପରେ ଦଳ ତାଙ୍କର ଧାରଣା ବଦଳାଇଥିଲା। ଅତୀତରେ ସିପିପି ବିରୋଧରେ ପରିବାରବାଦ ଅଭିଯୋଗ ଅଣାଯାଇଛି। କାମ୍ବୋଡିଆ ରାଜ୍ୟଗୁଡିକରେ ପୁରାତନ ନେତାଙ୍କ ସମ୍ପର୍କୀୟଙ୍କୁ ମନ୍ତ୍ରୀ ତଥା ରାଜ୍ୟପାଳ ପଦବୀ ଦିଆଯାଉଛି ଅଭିଯୋଗ ଅଣାଯାଇଛି। ତେବେ ହୁନ ମନେଟଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକୁ ଅଧିକ ବିରୋଧ କରିବାର ସମ୍ଭାବନା ନାହିଁ।

ଉଲ୍ଲେଖଥାଉ କି, ସିପିପି ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ। ଦଳର ମୁଖପାତ୍ର ସୋକ ଏସେନ ୱେବସାଇଟ ନିକ୍କାଇ ଏସିଆ ଡଟ କମ ସହିତ ଏକ ବାର୍ତ୍ତାଳାପରେ କହିଛନ୍ତି ହୁନ ମନେଟ ପ୍ରଧାନମନ୍ତ୍ରୀ ପଦ ପାଇଁ ଭବିଷ୍ୟତର ପ୍ରାର୍ଥୀ। ଭବିଷ୍ୟତର ଅର୍ଥ ସେ ବର୍ତ୍ତମାନ ପାଇଁ ପ୍ରାର୍ଥୀ ନୁହଁନ୍ତି ବୋଲି ସୋକ କହିଛନ୍ତି । ଯଦି ପ୍ରଧାନମନ୍ତ୍ରୀ ହୁନ ସେନ ଆଗାମୀ ନିର୍ବାଚନ ପରେ ଅବସର ନେବାକୁ ନିଷ୍ପତ୍ତି ନିଅନ୍ତି, ତେବେ ରାଜା ନୋରୋଡମ ସିଂହାମଣି ସଂସଦରେ ବିଶ୍ୱାସର ଭୋଟ ମାଧ୍ୟମରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଘୋଷଣା କରିବେ।

Share