ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି। ଗ୍ୟାଙ୍ଗ୍‌ର ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନୟାଗଡ଼ ରଣପୁରର ପ୍ରଶାନ୍ତ କୁମାର ଭୋଇ, ସୁନୀଲ କୁମାର ମଲ୍ଲ ଓ ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳର ହର ପ୍ରସାଦ ଦାଶ। ସେମାନଙ୍କଠାରୁ ବିଭିନ୍ନ କମ୍ପାନୀର ୨୩ଟି ଗାଡି ଜବତ ହୋଇଛି। ତେବେ ଅଭିଯୁକ୍ତମାନେ ଅଧିକାଂଶ ବୁଲେଟକୁ ଟାର୍ଗେଟ କରି ଚୋରି କରୁଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ରାଜଧାନୀ ସମେତ ନୟାଗଡ଼ରେ ମଧ୍ୟ ସକ୍ରିୟ ଥିଲେ। ବିଭିନ୍ନ ଅଞ୍ଚଳରୁ ଚୋରି କରି ଆଣିଥିବା ସମସ୍ତ ଗାଡିକୁ ଏକାଠି କରି ଏକ ବଣୁଆ ସ୍ଥାନରେ ଲୁଚାଇ ରଖୁଥିଲେ। ପରେ ସେଗୁଡିକୁ ୨୫ ହଜାରରୁ ୮୦ ହଜାର ଟଙ୍କା ମଧ୍ୟରେ ଲୋକଙ୍କୁ ବିକ୍ରି କରୁଥିଲେ। ଏହି ଗ୍ୟାଙ୍ଗର କେତେଜଣ ସଦସ୍ୟ କାମ କରୁଛନ୍ତି, କେଉଁ କେଉଁ ଅଞ୍ଚଳରେ ଚୋରି କରି କେଉଁଠି ବିକିଛନ୍ତି, ସେନେଇ ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ସେମାନଙ୍କୁ ଖୁବ୍‌ଶୀଘ୍ର ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ସୂଚନାଯୋଗ୍ୟ, ଗତ ୩ଦିନ ତଳେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କଠାରୁ ୧୪ଟି ମୋଟରସାଇକେଲ ଜବତ କରିଥିଲା।

Share