Categories: ଜାତୀୟ

ଆସିଲା ଏକଜିଟ୍‌ ପୋଲ: ଭାଜପାକୁ ଟକ୍କର ଦେବ କଂଗ୍ରେସ

ନୂଆଦିଲ୍ଲୀ,୩୦।୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲଙ୍ଗାନା ୫ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି। ଗୁରୁବାର ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ ଆକଳନ ସାମ୍ନାକୁ ଆସିଛି। ଏହି ଆକଳନ ଅନୁଯାୟୀ ରାଜସ୍ଥାନରେ ଭାଜପା କ୍ଷମତାକୁ ଫେରୁଥିବା ବେଳେ ତେଲଙ୍ଗାନାରେ ବିଆରଏସ୍‌ କ୍ଷମତାକୁ ଫେରିପାରେ। ସେହିପରି ଛତିଶଗଡ଼ରେ ପୁଣିଥରେ କଂଗ୍ରେସ କ୍ଷମତାକୁ ଫେରିପାରେ ବୋଲି ଏକଜିଟ୍‌ ପୋଲ କହୁଛି। ଏପରିକି ମଧ୍ୟପ୍ରଦେଶରେ ପୁଣି ଥରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି। ହେଲେ ଡିସେମ୍ବର ୩ରେ ୫ଟି ରାଜ୍ୟର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ।

୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ବିଧାନସଭାରେ ମ୍ୟାଜିକ ନମ୍ବର ରହିଛି ୪୬। ହେଲେ ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ’ ଦ୍ବାରା କରାଯାଇଥିବା ଏକ୍‌ଜିଟ ପୋଲ୍‌ରୁ ଜଣାପଡିଛି ଯେ, ଛତିଶଗଡ଼ରେ କଂଗ୍ରେସ ୪୦-୫୦ଟି ଆସନ ଜିତିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଭାଜପା ୩୬-୪୬ଟି ଆସନ ଜିତିବା ସହ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏବଂ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି (ଜିଜିପି) ସମେତ ଅନ୍ୟ ଦଳ ପ୍ରାୟ ୧ରୁ ୫ ଆସନ ଜିତିପାରନ୍ତି ବୋଲି ଏକ୍‌ଜିଟ ପୋଲ୍‌ରୁ ଜଣାପଡିଛି।

ସେହିପରି ‘ଏବିପି ନ୍ୟୁଜ-ସି ଭୋଟର’ ଦ୍ବାରା କରାଯାଇଥିବା ଏକ୍‌ଜିଟ ପୋଲ୍‌ ଅନୁଯାୟୀ, ଛତିଶଗଡ଼ରେ ଭାଜପା ୩୬-୪୮ଟି ଆସନ ଜିତିପାରେ ବୋଲି ଆକଳନ କରାଯାଉଥିବା ବେଳେ କଂଗ୍ରେସ ୪୧-୫୩ଟି ଆସନ ଜିତିବାର ସମ୍ଭାବନା ରହିଛି। ଏହା ସହ ‘ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ’ ଏକ୍‌ଜିଟ ପୋଲ୍‌ ଅନୁସାରେ ଭାଜପା ୩୦-୪୦ ଆସନ ପାଇବାକୁ ଥିବା ବେଳେ କଂଗ୍ରେସ ୪୬-୫୬ ଆସନରେ ଜିତିବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ପୁଣି ଥରେ କଂଗ୍ରେସ ଛତିଶଗଡ଼ରେ ସରକାର ଗଢ଼ିବ ବୋଲି ଏକ୍‌ଜିଟ ପୋଲ୍‌ରୁ ଜଣାପଡିଛି।

ଗୁରୁବାର ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଏକ୍‌ଜିଟ ପୋଲ୍‌ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ପୁଣିଥରେ ଭାଜପା ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି। ଜନ୍‌ କି ବାତର ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ଭାଜପାକୁ ୧୧୬ ଓ କଂଗ୍ରେସକୁ ୧୧୧ଟି ଆସନ ମିଳିପାରେ। ସେହିପରି ଟିଭି-୯ ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ଭାଜପାକୁ ୧୦୬ରୁ ୧୧୬, କଂଗ୍ରେସକୁ ୧୧୧ରୁ ୧୨୧ ଓ ଅନ୍ୟାନ୍ୟ ଦଳକୁ ୬ଟି ଆସନ ମିଳିପାରେ ବୋଲି ଆକଳନ କରାଯାଇଛି।

ଅନ୍ୟପକ୍ଷେ ରିପବ୍ଲିକ ଟିଭିର ସର୍ଭେ ମୁତାବକ ଭାଜପାକୁ ୧୧୮-୧୩୦, କଂଗ୍ରେସକୁ ୯୭-୧୦୭ ଓ ଅନ୍ୟାନ୍ୟ ଦଳଙ୍କୁ ୦୨ଟି ଆସନ ମିଳିପାରେ। ସେହିଭଳି ପୋଲ୍‌ ଅଫ୍‌ ପୋଲ୍ସର ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ଭାଜପାକୁ ୧୧୨ ଓ କଂଗ୍ରେସକୁ ୧୧୩ ଆସନ ମିଳିପାରେ ବୋଲି ଆକଳନ କରାଯାଇଛି। ହେଲେ ‘ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ’ ଭାଜପାକୁ ୧୪୦ରୁ ୧୬୨ ଆସନ ମିଳିପାରେ ବୋଲି ଆକଳନ କରିଛି। ସେହିପରି କଂଗ୍ରେସକୁ ୬୮-୯୦ ଆସନ ମିଳିପାରେ ବୋଲି ଆକଳନ କରିଛି।

Share