Categories: ଜାତୀୟ

ଶୁଣାଣି ବେଳେ କ୍ୟାମେରା ବନ୍ଦ

ନୂଆଦିଲ୍ଲୀ,୫ା୮: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଉକ୍ତ ମାମଲାର ଶୁଣାଣି ବେଳେ କୋର୍ଟରୁମ୍‌ର ସମସ୍ତ କ୍ୟାମେରା ବନ୍ଦ ହୋଇଯାଇଥିଲା।
୨୦୦୯ରେ ପ୍ରଶାନ୍ତ ଭୂଷଣ ତେହେଲକା ମାଗାଜିନକୁ ଏକ ସାକ୍ଷାତ୍‌କାର ଦେଇଥିଲେ। ସେତେବେଳେ ସେ ନ୍ୟାୟପାଳିକା ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ମଙ୍ଗଳବାର ଏହାର ଶୁଣାଣି କରୁଥିବାବେଳେ ପ୍ରଶାନ୍ତ ଭୂଷଣଙ୍କ ଓକିଲ ରାଜୀବ ଧାଓ୍ବନଙ୍କୁ ଏହି ଦୀର୍ଘ ଆଇନଗତ ପ୍ରକ୍ରିୟାର ସମାଧାନ ନେଇ ମତାମତ ଲୋଡ଼ିଥିଲେ। ଏହି ସମୟରେ ଅଦାଲତରେ କ୍ୟାମେରା ଅଫ୍‌ଲାଇନ୍‌ ହୋଇଯାଇଥିଲା।
ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେଙ୍କ ଆବେଦନ ଅନୁସାରେ ଏହି ଅବମାନନା ମାମଲା ରୁଜୁ ହୋଇଥିଲା। ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସମାଧାନ ପାଇଁ ଖଣ୍ଡପୀଠ ରାଜୀବ ଧାଓ୍ବନଙ୍କ ପରାମର୍ଶ ନେଇଥିଲେ। ଜଷ୍ଟିସ୍‌ ମିଶ୍ର ପଚାରିଥିଲେ, ଅଭିବ୍ୟକ୍ତିର ସ୍ବାଧୀନତା ଓ ଅବମାନନା ମଧ୍ୟରେ ଏକ ସୂକ୍ଷ୍ମ ରେଖା ରହିଛି। ଏହି ବ୍ୟବସ୍ଥା ଆପଣଙ୍କର। ବିବାଦ ଏଡ଼ାଇବା ଲାଗି ଆପଣ କିଛି ଉପାୟ ବତାଇପାରିବେ କି? ଆପଣ ଏହାର ସମାଧାନ କରିପାରିବେ ବୋଲି ଜଷ୍ଟିସ୍‌ ମିଶ୍ର କହିଥିଲେ। ଏହାର ଉତ୍ତରରେ ରାଜୀବ ଧାଓ୍ବନ କହିଥିଲେ, ପ୍ରଶାନ୍ତ ଭୂଷଣ ଏନେଇ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ତାଙ୍କ ସ୍ପଷ୍ଟୀକରଣ ଏହାକୁ ବିରାମ ଦେଇପାରେ। ଏହା ପରେ ଭିଡିଓ କନ୍‌ଫରେନ୍ସ ଜରିଆରେ ବିଚାର ବନ୍ଦ କରି ଇନ୍‌-କ୍ୟାମେରା ଶୁଣାଣି କରାଯାଇଥିଲା, ଯାହାକି ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା। ଶେଷରେ ସୁପ୍ରିମକୋର୍ଟ ସ୍ପଷ୍ଟୀକରଣକୁ ଗ୍ରହଣ କରିବେ ନା ବିଚାର ପ୍ରକ୍ରିୟାକୁ ବନ୍ଦ କରିବେ ସେନେଇ ରାୟ ସଂରକ୍ଷିତ ରଖିଥିଲେ।

Share