ବ୍ରିସବେନ,୧୬।୧୧: ଅଷ୍ଟ୍ରେଲିଆର ଘରୋଇ ଦିନିକିଆ ଟୁର୍ନାମେଣ୍ଟ ମାର୍ଶ କପ୍ର ଏକ ମ୍ୟାଚ୍ ବେଳେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡରୁ ହେଲମେଟ ଉଡାଇ ଦେଇଛନ୍ତି ବୋଲର। ଗାବାଠାରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଛନ୍ତି କୁଇନ୍ସଲାଣ୍ଡ ବୁଲ୍ସ ଉଇକେଟକିପର ବ୍ୟାଟର ଜିମ୍ମି ପିରସନ। ପ୍ରତିପକ୍ଷ ଓ୍ବେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଦଳର ଅଲରାଉଣ୍ଡର କାମେରନ ଗ୍ରୀନଙ୍କ ଏକ ଶର୍ଟ ପିଚ୍ ବଲ ପିରସନଙ୍କ ହେଲମେଟରେ ବାଜିଥିଲା। ବଲର ଗତି ଏଭଳି ଥିଲା ଯେ, ପିରସନଙ୍କ ହେଲମେଟ ଉଡି ଯାଇଥିଲା। ଡକ୍ଟର ଓ ଫିଜିଓ ଅନୁମତି ଦେଲା ପରେ ଦର୍ଶନୀୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ପିରସନ। ହେଲେ ଦଳ ପାଇଁ ଯଥେଷ୍ଟ ସାବ୍ୟସ୍ତ ହୋଇ ନ ଥିଲା ତାଙ୍କ ଇନିଂସ।
କାମେରନ ବାନକ୍ରଫ୍ଟଙ୍କ ଅପରାଜିତ ୧୨୪ ରନ୍ ପାଳି ବଳରେ ଓ୍ବେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ୩ ଉଇକେଟ ହରାଇ ୩୬୧ ରନ୍ କରିଥିଲା। କିନ୍ତୁ ୨୯୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା କୁଇନ୍ସଲାଣ୍ଡ। ଜୋ ବର୍ଣ୍ଣସ ୭୩ ଓ ପିରସନ ୬୨ ରନ୍ର ଇନିଂସ ଖେଳିଥିଲେ।